Advertisement

ଇନ୍ଦ୍ରଜିତ ମହାନ୍ତି ହେବେ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ ଅଫିସ, ୩୧ା୮: ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ଏ. ରବୀନ୍ଦ୍ର ଭଟ୍ଟ ଖୁବ୍‌ଶୀଘ୍ର ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ଯୋଗଦେବେ। ଫଳରେ ରାଜସ୍ଥାନ ମୁଖ୍ୟ ବିଚାରପତିଙ୍କ ପଦ ଖାଲି ପଡ଼ିବ। ତେଣୁ ସୁପ୍ରିମକୋର୍ଟଙ୍କ କଲେଜିୟମ ଏହି ପଦବୀ ଲାଗି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବର୍ତ୍ତମାନ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତିଙ୍କ ନାମ ସୁପାରିସ କରିଛନ୍ତି। ଏଥିପାଇଁ କେବଳ ରାଷ୍ଟ୍ରପତିଙ୍କ ମୋହର ଲାଗିବା ବାକି ରହିଛି। ବରିଷ୍ଠତା ଦୃଷ୍ଟିରୁ ତାଙ୍କ ନାମ ସୁପାରିସ କରାଯାଇଛି।
ସୂଚନାଯୋଗ୍ୟ ଓଡ଼ିଶାର ପ୍ରଖ୍ୟାତ ଆଇନଜୀବୀ ବାରିଷ୍ଟର ରଞ୍ଜିତ୍‌ ମହାନ୍ତିଙ୍କ ବଡ଼ପୁଅ ଜଷ୍ଟିସ ମହାନ୍ତି ୧୧ ନଭେମ୍ବର ୧୯୬୦ରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଲ’ ସେଣ୍ଟରରୁ ଏଲ୍‌ଏଲ୍‌ବିରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଇଂଲଣ୍ଡର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ଏମ୍‌ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୮୪ରେ ସେ ଓଡ଼ିଶା ଷ୍ଟେଟ୍‌ କାଉନ୍‌ସିଲର ସଦସ୍ୟ ଭାବେ ଯୋଗ ଦେଇଥିଲେ। ୩୧ ମାର୍ଚ୍ଚ ୨୦୦୬ରେ ସେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୮ ନଭେମ୍ବର ୧୩ରେ ସେ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ ଯୋଗଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share