‘ଇନ୍ଦ୍ରଧନୁ’ ପାଳିଲା କୁମାର ଉତ୍ସବ

ବାଲେଶ୍ୱର ଅଫିସ, ୧୫।୧୦-ବାଲେଶ୍ୱରର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ‘ଇନ୍ଦ୍ରଧନୁ’ ପକ୍ଷରୁ ୬୧ତମ କୁମାର ଉତ୍ସବ ଟାଉନହଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ଦ୍ୱାରା କୁମାର ପୂର୍ଣ୍ଣମୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ ସହିତ ଅନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ କରାଯାଇଥିବା ହାସ୍ୟରସାମତ୍କ ନାଟକ ‘ଭଲକଥା’ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା।

ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିଳ୍ପଦ୍ୟୋଗୀ ହିମାଂଶୁ ଦାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଅନୁଷ୍ଠାନ ମାଧ୍ୟମରେ ପରମ୍ପରା ବଞ୍ଚତ୍ ରହିଥିବା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବରେ ଉପଜିଲାପାଳ ନୀଲୁ ମହାପାତ୍ର, ସାମାଜିକ କର୍ମୀ ସୁବାସିନୀ ଜେନା ଯୋଗଦେଇ ପ୍ରାଚୀନ ପରମ୍ପରା ବିଲୁପ୍ତ ହେବାକୁ ବସିଥିବା ବେଳେ ଇନ୍ଦ୍ରଧନୁ ସାଂସ୍କୃତିକ ଅନୁଷ୍ଠାନ ଏହାକୁ ୬୧ବର୍ଷ ଧରି ବଞ୍ଚାଇ ରଖିଥିବାରୁ କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ। ଅନୁଷ୍ଠାନ ସଭାପତି ଇଂ. ପ୍ରଶାନ୍ତ ଦତ୍ତଙ୍କ ପୌରୋହିତ୍ୟରେ ସଭା ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ବ୍ରହ୍ମ ରଥ ପ୍ରାକ୍‌ କଥା ରଖିଥିବା େବେଳ ସଦସ୍ୟ ହରେନ୍‌ ରଣା ଶେଷ କଥା ରଖିଥିଲେ। ଏହି ଅବସରରେ ନୃତ୍ୟ ସଙ୍ଗୀତ କଳାମନ୍ଦିରର ଛାତ୍ରୀଛାତ୍ରମାନେ କୁମାର ପୂର୍ଣ୍ଣମୀ ଉପରେ ରଚିତ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ୮୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଗୁରୁ ପୂର୍ଣ୍ଣିମା ବାରିକ ଓ ସୁବର୍ଣ୍ଣରେଖା ମହାପାତ୍ରଙ୍କ ନିର୍ଦ୍ଦେଶନାରେ ‘କୁମାର ପୁନେଇ ରଜନୀରେ ଆଜି ଗୋ’ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ସେହିଭଳି ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଗୁରୁ ଭାସ୍କର ଚନ୍ଦ୍ର ଖିଲାରଙ୍କ ନିର୍ଦ୍ଦେଶନାରେ କୁମାର ପୂର୍ଣ୍ଣମୀ ସଙ୍ଗୀତ ଗାନ କରିଥିଲେ। ଏଥିରେ ଗୁରୁ ଭୁବନମହୋନ ପ୍ରଧାନ, ମନୋରଞ୍ଜନ ପଣ୍ଡା, ନନ୍ଦକିଶୋର ଦାସ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଶରତ ଚନ୍ଦ୍ର ଦାଶଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶେଷରେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ତଥା ଅଜୟ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ହାସ୍ୟରସାମତ୍କ ନାଟକ ‘ଭଲକଥା’ ମଞ୍ଚସ୍ଥ ହୋଇଥିଲା। ରତିକାନ୍ତ ମଲ୍ଲିକ, ଶ୍ୟାମରାୟ କର, ଅଜୟ ଆଚାର୍ଯ୍ୟ, ବ୍ରହ୍ମ ରଥ, ଆଶିଷ କର, ସ୍ମୃତି ଦାସ ଏଥିରେ ଅଭିନୟ କରିଥିଲେ।