Advertisement

ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଡଙ୍ଗା ଅଚଳ: ଅଳ୍ପକେ ବର୍ତ୍ତିଲେ ୧୫ ଯାତ୍ରୀ

କଲମପୁର/ଭବାନୀପାଟଣା,୧୪।୮(ଡି.ଏନ.ଏ.)କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କଣାସୁକୁଲି ଡଙ୍ଗାଘାଟରୁ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଫସି ରହିଥିଲେ। ଡଙ୍ଗା ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବର ଅନୁସାରେ, ମଙ୍ଗଳବାର ମାଳିଗାଁ ପଞ୍ଚାୟତ କଣାସୁକୁଲି ଡଙ୍ଗାଘାଟରୁ ତଲନାପି ପଞ୍ଚାୟତ ଲୁଟୁକୁଲି ଘାଟ ଅଭିମୁଖେ ଯାଉଥିବା ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଡଙ୍ଗା ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଅଚଳ ହୋଇପଡିଥିଲା। ଫଳରେ ଦୀର୍ଘ ୨ ଘଣ୍ଟା ଧରି ୧୫ ଜଣ ଯାତ୍ରୀ ଫସି ରହିଥିଲେ। ଚତୁଃପାର୍ଶ୍ୱରେ ଜଳପୂର୍ଣ୍ଣ ହୋଇଥିବାରୁ ସମସ୍ତେ ନିରୁପାୟ ହୋଇଯାଇଥିବା ବେଳେ ଡଙ୍ଗା ଚାଳକ ଜୟ ଗଉଡ ଉପସ୍ଥିତ ବୁଦ୍ଧି ଓ ସାହାସିକତା ଦେଖାଇଥିଲେ। ସେ କୌଶଳକ୍ରମେ ଡଙ୍ଗାକୁ ଏକ ଟାପୁକୁ ନେଇଯାଇଥିଲେ। ଏହି ସମୟରେ ପାଖାପାଖି ୫ କି.ମି. ଦୂରରେ ଯାଉଥିବା ଏକ ଡଙ୍ଗାକୁ ଦେଖି ଡଙ୍ଗା ଚାଳକ ଜୟ ଗଉଡ ସଙ୍କେତ ଦେଇଥିଲେ। ଉକ୍ତ ଡଙ୍ଗା ସେଠାରେ ପହଞ୍ଚତ୍ବା ପରେ ସେହି ଡଙ୍ଗା ସାହାଯ୍ୟରେ ଯାତ୍ରୀମାନଙ୍କ ସହିତ ଫସି ରହିଥିବା ଡଙ୍ଗାକୁ କୂଳକୁ ନେଇ ଆସିଥିଲେ। ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚତ୍ଥିବା ଜଣାପଡିଛି। ଡଙ୍ଗାରେ ଗୋପୀନାଥପୁର ପଞ୍ଚାୟତ ଓ ମାଲିଗାଁ ପଞ୍ଚାୟତର ୪ ଜଣ ମହିଳାଙ୍କ ସମେତ ୧୧ ଜଣ ପୁରୁଷ ରହିଥିଲେ। ସେମାନେ ବିଭିନ୍ନ କାର୍ଯ୍ୟରେ ନବରଙ୍ଗପୁର ଓ ଖାତିଗୁଡାକୁ ଯାଉଥିବା ଜଣାପଡିଛି।

Share