ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ; ଶତାଧିକ ଏକର ଚାଷ ଜମି ଜଳମଗ୍ନ

ଜୁନାଗଡ,୨୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମୁଣ୍ଡରାଗୁଡା ପଞ୍ଚାୟତ ପଣ୍ଡରାପଲାରେ ବୁଧବାର ମଧ୍ୟାହ୍ନରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁ ଶତାଧିକ ଏକର ଚାଷ ଜମି ଜଳମଗ୍ନ ହୋଇଛି ା ଫଳରେ ଧାନ ଫସଲ ନଷ୍ଟ ହେବା ଆଶଙ୍କା ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଜୁନାଗଡ଼ ବ୍ଲକ ପଣ୍ଡରାପଲାଠାରେ ଦୁର୍ବଳ ହିଡ଼ (ବନ୍ଦ) ଯୋଗୁ ବୁଧବାର ମଧ୍ୟାହ୍ନରେ ହଠାତ୍‌ ଦକ୍ଷିଣ ମୁଖ୍ୟ କେନାଲରେ ପ୍ରାୟ ୧୦ରୁ ୧୫ ଫୁଟର ଘାଇ ସୃଷ୍ଟି ହୋଇଥିଲା। ସେହି ଘାଇ ଦେଇ କେନାଲ ପାଣି ନିକଟସ୍ଥ ଚାଷ ଜମିକୁ ମାଡ଼ି ଯିବାରୁ ଶତାଧିକ ଏକର ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ସେଠାରେ ରୁଆ ହୋଇଥିବା ଧାନ ଫସଲ ନଷ୍ଟ ହୋଇଛି ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି। ଘାଇ ହେବା ଜାଣିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ମଙ୍ଗଲପୁର ବ୍ୟାରେଜର ଦକ୍ଷିଣ ମୁଖ୍ୟ କେନାଲର ଏଚ୍‌ଆର ଗେଟ୍‌କୁ ବନ୍ଦ କରି ଦେଇଛନ୍ତି। ସେହିପରି କେନାଲ ଉପର ମୁଣ୍ଡରେ ଥିବା ୫ଟି ଏସ୍‌କେବି ଗେଟ୍‌କୁ ଖୋଲାଯାଇଥିବାରୁ ରାତି ସୁଦ୍ଧା ଜଳସ୍ରୋତ କମିବ ବୋଲି ଜଣାପଡିଛି। ଏଥିଯୋଗୁ ପଣ୍ଡରାପାଲି ଗ୍ରାମର ମେଦୁ ମାଝି, ପ୍ରଶାନ୍ତ ମାଝି, ନବୀନ ମାଝି, ସନ୍ଥ ମାଝି, ପ୍ରଭାକର ମାଝି, ସୁମନ୍ତ ପଟେଲ, ଚକ୍ର ନାଏକ, ନେତ୍ର ମାଝି ପ୍ରମୁଖ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।