ନୂଆଦିଲ୍ଲୀ,୩୧।୫: କୋଭିଡ୍-୧୯ ସମସ୍ୟା ଯୋଗୁ କ୍ଷୁଦ୍ର ଏବଂ ମଧ୍ୟମ ଶ୍ରେଣୀର ବାଣିଜ୍ୟଗୁଡ଼ିକ ଦେବାଳିଆ କିମ୍ବା ବୃହତ୍ ପରିମାଣର ଆର୍ଥତ୍କ କ୍ଷତି ସାମ୍ନା କରୁଛନ୍ତି। ଏହି କମ୍ପାନୀଗୁଡିକଠାରୁ କଞ୍ଚାମାଲ କିମ୍ବା ପ୍ରଡକ୍ଟ କ୍ରୟ କରୁଥିବା ବଡ କମ୍ପାନୀଗୁଡିକ ଲାଗି ବର୍ତ୍ତମାନ ଏକ ନୂଆ ସମସ୍ୟା ସାମ୍ନାକୁ ଆସିଛି। ଭେଣ୍ଡର ଜିଏସ୍ଟି ଦେବାରେ ଯଦି ଖିଲାପ କରନ୍ତି ତେବେ ବଡ କମ୍ପାନୀଙ୍କୁ କ୍ରେଡିଟ ମିଳିବା କ୍ଷେତ୍ରରେ ସମସ୍ୟା ଉପୁଜିବ। ଭେଣ୍ଡର ଏବଂ ସପ୍ଲାୟରମାନେ ଯଦି ଟିକସ ପ୍ରଦାନ ନ କରନ୍ତି ତେବେ ବଡ କମ୍ପାନୀଗୁଡ଼ିକ ଟିକସ କ୍ଳେମ୍ କରିପାରିବେ ନାହିଁ ବୋଲି ଜିଏସ୍ଟି ନିୟମରେ ଉଲ୍ଲେଖ ରହିଛି। ଭେଣ୍ଡର ସରକାରଙ୍କୁ ଟିକସ ନ ଦେଲେ ବାୟର ବା ତାଙ୍କଠାରୁ କିଣୁଥିବା ବାୟରଙ୍କୁ ଇନ୍ପୁଟ ଟାକ୍ସ କ୍ରେଡିଟ ମିଳିବ ନାହିଁ ବୋଲି ଜିଏସ୍ଟି ଆଇନ ଧାରା ୧୬ରେ ଉଲ୍ଲେଖ ରହିଛି। ଏହାକୁ ନେଇ ବର୍ତ୍ତମାନ କମ୍ପାନୀଗୁଡିକ ବେଶ୍ ସଜାଗ ହେଉଛନ୍ତି। କମ୍ପାନୀ ସେମାନଙ୍କ ଭେଣ୍ଡର ଠିକ୍ ଭାବେ ଟିକସ ପ୍ରଦାନ କରୁଛନ୍ତି କି ନାହିଁ ତାହା ନିରନ୍ତର ଭିତ୍ତିରେ ଯାଞ୍ଚ କରୁଛନ୍ତି। ସେହିଭଳି କୌଣସି କ୍ଷେତ୍ରରେ ଟିକସ ଖିଲାପ ନ ହୁଏ ତାକୁ ମଧ୍ୟ କଡ଼ାକଡ଼ି ଭାବେ ଦେଖାଯାଉଛି।