Categories: ଜାତୀୟ

ଇନ୍‌ଫୋସିସ୍‌ ସିଇଓଙ୍କ ବିରୋଧରେ ଅଭିଯୋଗ

ବେଙ୍ଗାଲୁରୁ, ୧୩ା୧୧(ପି.ଟି.): ଗ୍ଲୋବାଲ ସଫ୍ଟଓ୍ବେର୍‌ ମେଜର ଇନ୍‌ଫୋସିସ୍‌ ଲିମିଟେଡ୍‌ର ସମସ୍ୟା ବଢ଼ିବାରେ ଲାଗିଛି। ପ୍ରଥମ ହ୍ବିସିଲ୍‌ବ୍ଲୋୟରଙ୍କ ଅଭିଯୋଗ ଗତ ଅକ୍ଟୋବର ମାସରେ ସାର୍ବଜନୀନ ହେବା ପରେ ଏବେ ଦ୍ୱିତୀୟ ହ୍ବିସିଲବ୍ଲୋୟରଙ୍କ ଅଭିଯୋଗ ଆସିଛି। ହ୍ବିସିଲ୍‌ବ୍ଲୋୟର କମ୍ପାନୀର ଅର୍ଥ ବିଭାଗରେ କାର୍ଯ୍ୟ କରୁଥିବାବେଳେ ଚାକିରି ଚାଲିଯିବା ଭୟରେ ନାମ ପ୍ରକାଶ କରିନାହାନ୍ତି। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ସଲିଲ୍‌ ପାରେଖ୍‌ କମ୍ପାନୀ ଆଦର୍ଶୀତିନିୟମକୁ ଭୁଲିଯାଇଛନ୍ତି। ୧୮ ମାସ ଚାକିରି ମଧ୍ୟରେ ସେ ମୁମ୍ବାଇରୁ କମ୍ପାନୀକୁ ଯିବାଆସିବା କରୁଛନ୍ତି। ପାରେଖ୍‌ଙ୍କ ବ୍ୟକ୍ତିଗତ ବିମାନ ଭଡ଼ା ୨୨ ଲକ୍ଷରେ ପହଞ୍ଚିଥିବା ସେ ଅଭିଯୋଗ କରିଛନ୍ତି। କମ୍ପାନୀ ଆଇନରେ ସିଇଓ ବେଙ୍ଗାଲୁରୁ ଅଧୀନ ହେବା ଦରକାର ବୋଲି କୁହାଯାଇଥିବାବେଳେ ଇନ୍‌ଫୋସିସ୍‌ ବୋର୍ଡ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ସମସ୍ତ କର୍ମଚାରୀଙ୍କ ଯିବାଆସିବା ଖର୍ଚ୍ଚ କମ୍ପାନୀ ବହନ କରୁଛି। ହେଲେ ମାସକୁ ମୁମ୍ବାଇରୁ ବେଙ୍ଗାଲୁରୁ ଅତିକମ୍‌ରେ ୨ ଥର ଯିବାଆସିବା ଦ୍ୱାରା ଖର୍ଚ୍ଚ ବଢ଼ୁଛି। ଇନ୍‌ଫୋସିସ୍‌ ଅଧ୍ୟକ୍ଷ ନନ୍ଦନ ନିଲେକାନିଙ୍କ ଅବଗତ ଲାଗି ସେ ଏଭଳି ଅଭିଯୋଗ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା କହିଛନ୍ତି। ଜଣେ ଶେୟାର୍‌ହୋଲ୍ଟର ଓ କର୍ମଚାରୀ ହିସାବରେ କମ୍ପାନୀକୁ ଅବଗତ କରାଇବା ମୋ କର୍ତ୍ତବ୍ୟ ଓ ଏନେଇ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ହ୍ବିସିଲ୍‌ବ୍ଲୋୟର କହିଛନ୍ତି। ପ୍ରଥମ ଚିଠିରେ ମଧ୍ୟ ହ୍ବିସିଲବ୍ଲୋୟର କମ୍ପାନୀରେ ନୀତିଗତ କାର୍ଯ୍ୟ ଠିକ୍‌ ଭାବେ ହେଉ ନ ଥିବା ଦର୍ଶାଇଥିଲେ। ଏହା ପଦାକୁ ଆସିପା ପରେ କମ୍ପାନୀ ଶେୟାର ୧୬% କମିଯାଇଥିଲା।

Share