ଇନ୍‌ଷ୍ଟାଗ୍ରାମ୍‌ରେ ଗୋଟିଏ ପୋଷ୍ଟ ପାଇଁ କୋଟିଏରୁ ଅଧିକ ଟଙ୍କା ନିଅନ୍ତି ପ୍ରିୟଙ୍କା

ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ। ଖୁବ୍‌ କମ୍‌ ସମୟରେ ଏହା ଜଣଙ୍କ ପାଖରେ ନିଜର ମନ କଥା ପହଞ୍ଚାଇଦିଏ। ଠିକ୍‌ ସେଥିପାଇଁ ସେଲିବ୍ରିଟିମାନେ ପ୍ରଶଂସକମାନଙ୍କ ସହ ସିଧା ଯୋଡ଼ି ହେବାକୁ ସୋସିଆଲ ମିଡିଆର ସହାୟତା ନେଇଥାନ୍ତି। ବଲିଉଡ୍‌ କଳାକାରମାନେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ଫିଲ୍ମର ପ୍ରମୋଶନ ହେଉ ଅଥବା ଅନ୍ୟ କିଛି ପ୍ରସଙ୍ଗରେ ନିଜ ମତ ରଖିଥାନ୍ତି। ହେଲେ ଏଥିପାଇଁ ସେମାନେ ନିଅନ୍ତି ମୋଟା ଅଙ୍କର ଅର୍ଥ।

ଯାହା ପଢ଼ିଲେ ତାହା ସତ। ନିକଟରେ ସୋସିଆଲ ମିଡିଆ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ହେଡ୍‌କ୍ୱାର୍ଟରରୁ ଚଳିତବର୍ଷର ଇନ୍‌ଷ୍ଟାଗ୍ରାମ ରିଚ୍‌ ଲିଷ୍ଟ ଜାରି କରାଯାଇଛି। ଏଥିରେ ଗୋଟିଏ ପୋଷ୍ଟ କରିବା ପାଇଁ ବଲିଉଡ୍‌ କଳାକାର ନେଉଥିବା ଟଙ୍କା ବିଷୟରେ ଦର୍ଶାଯାଇଛି। ଭାରତୀୟ କଳାକାର ଭାବେ ତାଲିକା ଶୀର୍ଷରେ ରହିଛନ୍ତି ପିସି ଓରଫ ପ୍ରିୟଙ୍କା ଚୋପ୍ରା।

ଜାତୀୟ ତଥା ଅନ୍ତର୍ଜାତୀୟ କଳାକାର ଭାବେ ସମସ୍ତଙ୍କ ମନ ଜିଣୁଥିବା ପ୍ରିୟଙ୍କା ଗୋଟିଏ ଚୁକ୍ତିଭିତ୍ତିକ ପୋଷ୍ଟ ପାଇଁ ୧.୮୭ କୋଟି ଟଙ୍କା ନେଇଥାନ୍ତି। ସେହିଭଳି ବିଗ୍‌ବି ଅମିତାଭ ଗୋଟିଏ ଇନ୍‌ଷ୍ଟା ପୋଷ୍ଟ ପାଇଁ ୪୦ରୁ ୫୦ ଲକ୍ଷ ନେଇଥାନ୍ତି। ଆଲିଆ ଗୋଟିଏ ପୋଷ୍ଟ ପାଇଁ ଏକ କୋଟି ଟଙ୍କା ନେଇଥାନ୍ତି। ଶାହରୁଖ ଇନ୍‌ଷ୍ଟାରେ ଗୋଟିଏ ପୋଷ୍ଟ ପାଇଁ ୮୦ଲକ୍ଷରୁ ୧ କୋଟି ଟଙ୍କା ଚାର୍ଜ କରିଥାନ୍ତି। ସେହିଭଳି ଶାହିଦ ଗୋଟିଏ ପୋଷ୍ଟ ପାଇଁ ୨୦ ରୁ ୩୦ ଲକ୍ଷ ଟଙ୍କା ନେଉଥିବା ଜଣାପଡ଼ିଛି।

Share