Categories: ଖେଳ

ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଯୋଗୁ ଅଷ୍ଟ୍ରେଲିଆ କ୍ରିକେଟର ବାସନ୍ଦ

ସିଡ୍‌ନୀ,୧୮।୧୧- କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମହିଳା ବିଗ୍‌ ବାଶ ଲିଗ୍‌ (ଡବ୍ଲ୍ୟୁବିବିଏଲ) ଦଳ ହବର୍ଟ ହିରକେନ୍ସ ଖେଳାଳି ଏମିଲି ସ୍ମିଥଙ୍କୁ ଏକ ବର୍ଷ ଲାଗି ବାସନ୍ଦ କରିଛି। ଅଫିସିଆଲ ଭାବେ ଏକ ଡବ୍ଲ୍ୟୁବିବିଏଲ ମ୍ୟାଚ୍‌ ଲାଗି ଦଳୀୟ ଲାଇନଅଫ୍‌ ପ୍ରକାଶ ପାଇବା ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଦେଇଥିଲେ। ଏହା ଦ୍ୱାରା ସେ ନିୟମ ଭଙ୍ଗ କରିଛନ୍ତି। ବାସନ୍ଦାଦେଶ ଯୋଗୁ ସେ ଡବ୍ଲ୍ୟୁବିବିଏଲର ଅବଶିଷ୍ଟ ମ୍ୟାଚ୍‌ ଓ ଜାତୀୟ ମହିଳା ଲିଗ୍‌ ପ୍ରତିଯୋଗିତାରେ ଖେଳିପାରିବେ ନାହିଁ। ୨୪ ବର୍ଷୀୟା ଉଇକେଟକିପର ବ୍ୟାଟ୍ସଓମ୍ୟାନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ପ୍ରତିନିଧିତ୍ୱ ନ କରିଥିଲେ ମଧ୍ୟ ୪୩ ଡବ୍ଲ୍ୟୁବିବିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି। ଗତ ୨ ତାରିଖରେ ସିଡ୍‌ନୀ ଥଣ୍ଡର୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ହରିକେନ ଟିମ୍‌ ଲାଇନଅଫ୍‌ ପୋଷ୍ଟ କରିଥିଲେ। ଏହାର ଏକ ଘଣ୍ଟା ପରେ ଅଫିସିଆଲ ରିଲିଜ ହୋଇଥିଲା। ତେବେ ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ ହୋଇଯାଇଥିଲା। ଆଣ୍ଟି କରପଶନ ଧାରା ୨.୩.୨ ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ଆଗରେ (ଲାଭ ପାଇଁ ହେଉ କିମ୍ବା ନ ହେଉ) ଜାଣତରେ କିମ୍ବା ଅଜାଣତରେ ଦଳୀୟ ତଥ୍ୟ ପ୍ରକାଶ କରିବା ଦଣ୍ଡନୀୟ। ଏହା ବେଟିଂରେ ବ୍ୟବହାର ହୋଇପାରିଥାନ୍ତା।

Share