Categories: ମେଟ୍ରୋ

ଇନ୍‌ସ୍ୟୁରାନ୍ସ, ଫାଇନାନ୍ସ କିସ୍ତି ଫାଙ୍କିବାକୁ ଚଞ୍ଚକତା : ଦୁଇ ବୋଲେରୋ, ଗୋଟିଏ ନମ୍ବର

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ଦୁଇଟି ବୋଲେରୋ, ହେଲେ ଲାଗିଥିଲା ଗୋଟିଏ ନମ୍ବର (ଓଡ଼ି୩୪ଇ୫୫୭୮)। ଗାଡ଼ିର ରଙ୍ଗ ଓ ସମ୍ମୁଖ ଭାଗରେ ସମାନ ଭାବେ ‘ସୁବର୍ଣ୍ଣମୁଖୀ’ ଲେଖାଥିଲା। କେହି ବି ଅଲଗା ଅଲଗା ଗାଡ଼ି ବୋଲି ଜାଣିବା କଷ୍ଟକର ଥିଲା। ଏଭଳି ଚଞ୍ଚକତା କରି ଇନ୍‌ସ୍ୟୁରାନ୍ସ, ଫାଇନାନ୍ସ କିସ୍ତି ଫାଙ୍କି ଚାଲିଥିଲେ ଗାଡ଼ି ମାଲିକ। ଏପରି କି ଚନ୍ଦ୍ରଶେଖରପୁରସ୍ଥିତ ଇଷ୍ଟ୍‌କୋଷ୍ଟ ରେଲ୍‌ଓ୍ବେ ମୁଖ୍ୟାଳୟରେ ମଧ୍ୟ ଦୁଇ ଗାଡ଼ିକୁ ଦୀର୍ଘଦିନ ହେବ ଭଡ଼ାରେ ଲଗାଇଥିଲେ। ଶେଷରେ ଗାଡ଼ି ପଛପାର୍ଶ୍ୱ କାଚରେ ଲାଗିଥିବା ହନୁମାନ ଓ ଜଗନ୍ନାଥଙ୍କ ଦୁଇ ଭିନ୍ନ ଷ୍ଟିକର ଯୋଗୁ କାର୍‌ସାଦି ଧରାପଡିଗଲା। ଏବେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଦୁଇ ଗାଡ଼ିକୁ ଜବତ କରିବା ସହ ଗାଡିର କାଗଜପତ୍ର ଯାଞ୍ଚ କରିଛି। ମାଲିକ କୃଷ୍ଣଚନ୍ଦ୍ର ବାରିକ ଓ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନାନୁଯାୟୀ, କୃଷ୍ଣଚନ୍ଦ୍ରଙ୍କ ଗୋଟିଏ ବୋଲେରୋ ଥିଲା। ପରେ ଆଉଗୋଟିଏ ଗାଡ଼ିକୁ ଫାଇନାନ୍ସରେ କିଣିଥିଲେ। ମାସିକିଆ ଭଡ଼ାରେ ଲଗାଇଥିଲେ ମଧ୍ୟ ଫାଇନାନ୍ସ କିସ୍ତି ଦେଉ ନ ଥିଲେ। ଠକିବା ପାଇଁ ପୂର୍ବରୁ ରହିଥିବା ଗାଡ଼ି ନମ୍ବରକୁ ଫାଇନାନ୍ସରେ ଆଣିଥିବା ବୋଲେରୋରେ ବ୍ୟବହାର କରୁଥିଲେ। ଏନେଇ ଫାଇନାନ୍ସ ସଂସ୍ଥା ବାରମ୍ବାର ନୋଟିସ କରି ବିଫଳ ହେବା ପରେ ଗାଡ଼ି ଜବତ ପାଇଁ ଉଦ୍ୟମ ହୋଇଥିଲା। କର୍ମଚାରୀମାନେ ଗାଡ଼ିକୁ ଖୋଜି ଖୋଜି କରି ଶେଷରେ ରବିବାର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଉକ୍ତ ଗାଡ଼ିକୁ ପିଛା କରିଥିଲେ। ଗାଡ଼ିଟି ରେଲ୍‌ଓ୍ବେ କାର୍ଯ୍ୟାଳୟ ଅଭିମୁଖେ ଯିବାର ଆଉ କିଛି ସମୟ ପରେ ସମାନ ନମ୍ବର ଓ ରଙ୍ଗର ଆଉ ଏକ ବୋଲେରୋ ସେହିବାଟେ ପ୍ରବେଶ କରିଥିଲା। ଫଳରେ ଫାଇନାନ୍ସ କର୍ମଚାରୀମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। କିନ୍ତୁ ଉଭୟ ଗାଡି ପଛ କାଚରେ ଲାଗିଥିବା ଠାକୁରଙ୍କ ଷ୍ଟିକରରୁ ସେମାନେ ଜାଲିଆତି ନେଇ ସ୍ପଷ୍ଟ ହୋଇଥିଲେ। ଏହାପରେ ରେଲ୍‌ଓ୍ବେ କାର୍ଯ୍ୟାଳୟ ନିକଟରେ ଦୁଇ ଗାଡ଼ିକୁ ଅଟକାଇ ସେମାନେ ପୋଲିସକୁ ଫୋନ୍‌ କରିଥିଲେ।
ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି ଯେ, ଗାଡ଼ି ମାଲିକ ଫାଇନାନ୍ସ ସଂସ୍ଥାକୁ କିସ୍ତି ଟଙ୍କା ନ ଦେଇ ଏଭଳି ଗୋଟିଏ ନମ୍ବର ପ୍ଲେଟ ବ୍ୟବହାର କରିଛନ୍ତି। ତଦନ୍ତ ଚାଲିଛି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share