‘ଇନ୍‌-ଶା-ଆଲ୍ଲା’ରେ ସଲମାନ୍‌-ଆଲିଆ

ମୁମ୍ବାଇ: ନିର୍ମାଣ ହେବାକୁ ଯାଉଥିବା ଆଗାମୀ ଫିଲ୍ମ ‘ଇନ୍‌-ଶା-ଆଲ୍ଲା’ରେ ଅଭିନୟ କରିବେ ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌। ତାଙ୍କ ସହ ଆଲିଅ ଭଟ୍ଟଙ୍କ ଯୋଡି ବେଶ୍‌ ଜମିବ ବୋଲି ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଁସାଲି ସୂଚନା ଦେଇଛନ୍ତି। ଉଭୟ ଭଁସାଲିଙ୍କ ପ୍ରଯୋଜନା ସଂସ୍ଥା ଏବଂ ସଲମାନ୍‌ ଉକ୍ତ ଫିଲ୍ମ ନିର୍ମାଣ ପାଇଁ ସହମତି ପ୍ରକାଶ କରିବା ପରେ ଏଥିସହ ଜଡିତ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଏହି ସୂଚନା ମିଳିଛି। ଏହି ଫିଲ୍ମ ୨୦୨୦ ଇଦ୍‌ରେ ରିଲିଜ ହେବାର ସମ୍ଭାବନା ଅଛି। ୧୯୯୬ରେ ଭଁସାଲିଙ୍କ ପ୍ରଥମ ନିର୍ଦ୍ଦେଶନାରେ ନିର୍ମିତ ସିନେମା ‘ଖାମୋସି-ଦି ମ୍ୟୁଜିକାଲ’ରେ ସଲମାନ୍‌ ଅଭିନୟ କରିଥିଲେ। ଦୀର୍ଘ ଦୁଇ ଦଶନ୍ଧି ପରେ ସଲମାନ୍‌ ଓ ଭଁସାଲିଙ୍କ ସହ-ପ୍ରଯୋଜନାରେ ‘ଇନ୍‌-ଶା-ଆଲ୍ଲା’ ନିର୍ମାଣ ହେବାକୁ ଯାଉଛି। ଏଥିରେ ସଲମାନ୍‌ (୫୩) ପ୍ରମୁଖ ଚରିତ୍ରରେ ଅଭିନୟ କରିବା ଆଶା ଅଛି। ସଲମାନ୍‌ ୧୯୯୯ରେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଜୟ ଦେବଗନ୍‌ଙ୍କ ସହ ଅଭିନୟ କରିଥିଲେ। ସେ ମଧ୍ୟ ଭଁସାଲିଙ୍କ ନିର୍ମିତ ‘ସାଓ୍ବାରିୟା’ରେ ପ୍ରମୁଖ ଭୂମିକା ନେଇଥିଲେ। ଏଥିରେ ରଣବୀର କପୁର ଏବଂ ସୋନମ କପୁର ଅଭିନୟ କରିବାର ସୁଯୋଗ ପାଇଥିଲେ।

Share