ଇପିଏଫ୍‌ ପେନସନ୍‌ ଭୋଗୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

କଟକ ଅଫିସ,୧୧।୬: ଓଡ଼ିଶାରେ ଥିବା ୧ଲକ୍ଷ ୬୨ହଜାର ଇପିଏଫ୍‌ ପେନସନ୍‌ ଭୋଗୀ ଘୋର ଆର୍ଥିକ ଅଭାବ ଅନାଟନ ମଧ୍ୟରେ ଦିନ କାଟୁଛନ୍ତି। ବିନା ମହଙ୍ଗାଭତ୍ତାରେ ମାସିକ ମାତ୍ର ୩୦୦ରୁ ୩୦୦୦ଟଙ୍କା ମଧ୍ୟରେ ପେନସନ୍‌ ପାଉଥିବା ଏହି ବରିଷ୍ଠ ନାଗରିକମାନେ କେନ୍ଦ୍ର ସରକାରଙ୍କ ଅବହେଳା ଓ ପାତରଅନ୍ତର ନୀତିର ଶିକାର ହେଉଥିବାସ୍ଥଳେ କେନ୍ଦ୍ର କିମ୍ବା ରାଜ୍ୟସରକାରଙ୍କର କୌଣସି ସାମାଜିକ ସୁରକ୍ଷା ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। କେନ୍ଦ୍ର ସରକାର ସେମାନଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ସର୍ବନିମ୍ନ ୯୦୦୦ ଟଙ୍କା ପେନସନ ସହ ମହାଙ୍ଗାଭତ୍ତା ଜାନୁୟାରୀ ୨୦୧୬ ମସିହାରୁ ଦେଇଆସୁଥିବା ବେଳେ ଇପିଏଫ୍‌ ପେନସନଭୋଗୀ ମାନଙ୍କପାଇଁ ୨୦୧୪ ସେପ୍ଟେମ୍ବରରୁ ବିନା ମହଙ୍ଗାଭତ୍ତାରେ ଲାଗୁ ହୋଇଥିବା ୧୦୦୦ ସର୍ବନିମ୍ନ ପେନସନର ବୃଦ୍ଧି ଦାବିକୁ କେନ୍ଦ୍ର ସରକାର ଅଣଦେଖା କରି ଚାଲିଛନ୍ତି। ଯାହା ଫଳରେ ବରିଷ୍ଠ ନାଗରିକମାନ ପରିଣତ ବୟସରେ ଭୋକଉପାସରେ ଦିନକାଟୁଛନ୍ତି। ସାମାଜିକ ସୁରକ୍ଷାରୁ ବଞ୍ଚିତ ଏହି ପେନସନ ଭୋଗୀ ମାନେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହେଉଥିଲେ ମଧ୍ୟ ଅର୍ଥାଭାବରୁ ଚିକିତ୍ସା ସୁବିଧା ନପାଇ ରୋଗଗ୍ରସ୍ତ ଜୀବନ ନେଇ ବଞ୍ଚିବାସହ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଖୁସିରକଥା ଯେ, ଓଡ଼ିଶାସରକାର ରାଜ୍ୟର ଗରିବ ଜନସାଧାରଣଙ୍କୁ ମାଗଣା ଚିକିତ୍ସାସୁବିଧା ଯୋଗାଇ ଦେବାପାଇଁ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏବଂ ଏହି ଯୋଜନାର ସୁଫଳ ଗରିବ ଜନସାଧାରଣମାନେ ପାଇପାରୁଛନ୍ତି। ଏଣୁ ଓଡ଼ିଶା ସରକାର ରାଜ୍ୟରେ ଥିବା ଇପିଏଫ୍‌ ପେନସନ ଭୋଗୀମାନଙ୍କ ଦୟନୀୟ ଆର୍ଥିକ ସ୍ଥିତିକୁ ହୃଦୟଙ୍ଗମ କରି ସେମାନଙ୍କୁ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଅଲ ଓଡ଼ିଶା ଇପିଏଫ୍‌ ପେନସନ୍‌ରସ୍‌ ଆସୋସିଏଶନ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରି ପତ୍ର ଲେଖାଯାଇଥିବା ସୂଚନା ମିଳିଛି।

Share