Categories: ଜାତୀୟ

ଇଭିଏମ୍‌ରେ ଭାଗ୍ୟ, ୧୧କୁ ଅପେକ୍ଷା: ଦିଲ୍ଲୀରେ ୬୧.୪୬% ମତଦାନ

ନୂଆଦିଲ୍ଲୀ,୯ା୨: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦିଲ୍ଲୀ ବିଧାନସଭାର ୭୦ ଆସନରେ ନିର୍ବାଚନ ଶେଷ ହୋଇଛି। ଶନିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଥିବାବେଳେ ୧.୪୭ କୋଟି ଭୋଟରଙ୍କ ମଧ୍ୟରୁ ୬୧.୪୬% ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି। ଏଥିସହ ସହ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ (ଇଭିଏମ୍‌)ରେ ସିଲ୍‌ ହୋଇଯାଇଛି, ଯାହାକି ୧୧ ତାରିଖରେ ଫିଟିବ।
୨୦୧୫ରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ୬୭.୫% ମତଦାନ ହୋଇଥିଲା।
ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ୫୪.୩% ଭୋଟ ମିଳିଥିବାବେଳେ ଭାଜପା ୩୨% ଓ କଂଗ୍ରେସ ମାତ୍ର ୯.୬% ଭୋଟ ପାଇଥିଲେ। ଏଏପି ୬୭ ଆସନ ଦଖଲ କରି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଭାଜପାକୁ ମାତ୍ର ୩ ଆସନରେ ସଫଳତା ମିଳିଥିବାବେଳେ କଂଗ୍ରେସ ଖାତା ଖୋଲିପାରି ନ ଥିଲା। ଏଥର ୧୧ଟି ଜିଲାର ୭୦ ଆସନରେ ୧,୪୭, ୮୬,୩୮୨ ଭୋଟରଙ୍କ ମଧ୍ୟରୁ ୬୧.୪୬% ମତଦାତା ଭୋଟ ଦେଇଛନ୍ତି। ମଇଦାନରେ ୬୭୨ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ। ସୁରୁଖୁରୁରେ ଭୋଟଗ୍ରହଣ କରାଇବା ପାଇଁ ୧୩,୭୫୦ ପୋଲିଂ ବୁଥ୍‌ର ବ୍ୟବସ୍ଥା କରାଯାଇଥିଲା। ଏହାବାଦ୍‌ ୨,୬୮୯ ସ୍ଥାନରେ ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି। ପ୍ରତ୍ୟେକ ଜିଲାର ଗୋଟିଏ ଲେଖାଏ ନିର୍ବାଚନ ମଣ୍ଡଳୀରେ ଅତ୍ୟାଧୁନିକ ଟେକ୍ନୋ ଲୋଜି ବ୍ୟବସ୍ଥା କରାଯାଇଥିଲା।

Share