ଇଭିଏମ୍‌ର ସ୍ବଚ୍ଛତାକୁ ନେଇ ମାମଲା: ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୨୩।୭: ଇଭିଏମ୍‌ର ସ୍ବଚ୍ଛତାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ଖାରଜ ହୋଇଛି। ଉକ୍ତ ମାମଲାକୁ ବେଆଇନ ଦର୍ଶାଇ ଅଦାଲତ ଖାରଜ କରିଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯିବ ବୋଲି ଆଡଭୋକେଟ ଅଶ୍ୱିନୀ କୁମାର ଦାସ କହିଛନ୍ତି। ପ୍ରକାଶଥାଉ କି, ସମୁଦାୟ ପୋଲିଂଠାରୁ ଅଧିକ ଭୋଟ ଇଭିଏମ୍‌ରୁ ବାହାରିଛି। ଏହାକୁ ଚ୍ୟାଲେଞ୍ଜ କରି ସୁବ୍ରତ କୁମାର ଛାଟୋଇ ନାମକ ବ୍ୟକ୍ତି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଛାଟୋଇ ଦର୍ଶାଇଥିଲେ, କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ୧ ଲକ୍ଷ ୮୨ହଜାର ୪୧୪ ଜଣ ଭୋଟର ମତଦାନ କରିଥିବା ବେଳେ ଇଭିଏମ୍‌ରୁ ୧ ଲକ୍ଷ ୯୧ହଜାର ୯୯ ଭୋଟ ବାହାରିଥିଲା। ତେଣୁ କିଭଳି ଭାବେ ସମୁଦାୟ ମତଦାନଠାରୁ ଇଭିଏମ୍‌ରୁ ଅଧିକ ଚିରକୁଟି ବାହାରିଲା ତାହାର ତଦନ୍ତ ଦାବି କରି ଛାଟୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଛାଟୋଇ ଦର୍ଶାଇଥିଲେ, ଏହାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ। କିନ୍ତୁ ଛାଟୋଇଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଖାରଜ କରିବା ସମୟରେ ହାଇକୋର୍ଟ କହିଥିଲେ, ଛାଟୋଇଙ୍କ ଆବେଦନକୁ ନିର୍ବାଚନୀ ମାମଲା ଭାବେ ଗ୍ରହଣ କରାଯାଉ। କିନ୍ତୁ ଛାଟୋଇଙ୍କ ଓକିଲ ଆଡଭୋକେଟ ଅଶ୍ୱିନୀ ଦାସ ଏହାକୁ ବିରୋଧ କରିଥିଲେ। ଏହା ନିର୍ବାଚନୀ ମାମଲା ନୁହେଁ ବରଂ ଏହା ଗଣତନ୍ତ୍ର ପ୍ରତି ଏକ ଶକ୍ତ ଷଡ଼ଯନ୍ତ୍ର ବୋଲି ଆଡଭୋକେଟ ଦାସ ଯୁକ୍ତି ବାଢିଥିଲେ। କିନ୍ତୁ ହାଇକୋର୍ଟ ଆଡଭୋକେଟ ଦାସଙ୍କ ଯୁକ୍ତିକୁ ଗ୍ରହଣ କରି ନ ଥିଲେ। ଫଳରେ ଏହାକୁ ନେଇ ଆବେଦନକାରୀ ଛାଟୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ତାଙ୍କ ଓକିଲ ଆଡଭୋକେଟ ଦାସ କହିଛନ୍ତି।

Share