Categories: ଗଞ୍ଜାମ

ଇଭିଏମ୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ ଭାଙ୍ଗିବା ମାମଲା : ଜେଲରେ ଭାଜପା ପ୍ରାର୍ଥୀ ନୀଳମଣି

ଛତ୍ରପୁର,୨୦ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ସୋରଡା ବ୍ଲକ ରେଣ୍ଟି ବୁଥ୍‌ରେ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ୍‌ ଭାଙ୍ଗିବା ମାମଲାରେ ଭାଜପା ପ୍ରାର୍ଥୀ ନୀଳମଣି ବିଷୋୟୀ ଗିରଫ ହୋଇ ଜେଲ ଯାଇଛନ୍ତି। ଶୁକ୍ରବାର ଛତ୍ରପୁରସ୍ଥିତ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଉପରୋକ୍ତ ସୂଚନା ଦେଇଛନ୍ତି। ସୋରଡା ପୋଲିସ ଏନେଇ ଏକ ମାମଲା ନଂ.୫୭/୧୯ ରୁଜୁ କରି ଗୁରୁବାର ରାତିରେ ନୀଳମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ସୋରଡା ଜେଲକୁ ପଠାଇ ଦିଆଯାଇଥିଲା। ନୀଳମଣିଙ୍କ ଉପରେ ଆଇପିସିର ୧୪୩, ୪୪୮, ୧୪୯, ୩୫୩ ଓ ୪୨୭ ଧାରା, ଆର୍‌ପି ଆକ୍ଟ (ରିପ୍ରେଜେଣ୍ଟେସନ୍‌ ଅଫ୍‌ ଦ ପିପୁଲ୍‌)ର ୧୩୧,୧୩୨, ୧୩୫(ଏ) ଓ ୧୩୬ ଧାରା ଏବଂ ପିଡିପିପି (ପ୍ରିଭେନସନ୍‌ ଅଫ୍‌ ଡ୍ୟାମେଜ୍‌ ଟୁ ପବ୍ଲିକ୍‌ ପ୍ରପର୍ଟି) ଆକ୍ଟର ୩ ଧାରା ଲଗାଇ ମାମଲା ରୁଜୁ ହୋଇଥିବା ଏସପି କହିଛନ୍ତି। ଅପରପକ୍ଷରେ ଭୋଟ ଗ୍ରହଣ ବେଳେ ରିଗିଂ ହୋଇଥିବା ନେଇ ନୀଳମଣିଙ୍କ ପକ୍ଷରୁ ସୋରଡା ଥାନାରେ ଦିଆଯାଇଥିବା ଏତଲା ଉପରେ ମାମଲା ରୁଜୁ ହୋଇ ନ ଥିବା ଏସ୍‌ପି ସ୍ପଷ୍ଟ କରିଛନ୍ତି।