Categories: ଗଞ୍ଜାମ

ଇଭିଏମ୍‌ ଭଙ୍ଗାରୁଜା ଘଟଣା: ନୀଳମଣିଙ୍କ ଜାମିନ ଶୁଣାଣି ୨କୁ ଘୁଞ୍ଚିଲା

ଭଞ୍ଜନଗର/ସୋରଡା,୨୬।୪ (ଡି.ଏନ.ଏ.)- ସୋରଡା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍‌ ମେଶିନ ଭାଙ୍ଗିବା ଅଭିଯୋଗରେ ଗତ ୧୮ ତାରିଖରୁ ସୋରଡା ଜେଲରେ ଅଛନ୍ତି। ଏହି ମାମଲାରେ ନୀଳମଣି ଜାମିନ ପାଇବା ପାଇଁ ଆବେଦନ କରିଥିବାବେଳେ ପୋଲିସ ୨ଜଣଙ୍କ ଏତଲାକୁ ଭିତ୍ତିକରି ଆଉ ୨ ମାମଲା ନୀଳମଣିଙ୍କ ନାମରେ ଯୋଡି ଦେଇଛନ୍ତି। ନୀଳମଣି ଖୁବ୍‌ଶୀଘ୍ର ଜାମିନରେ ବାହାରିବେ ବୋଲି ତାଙ୍କ ସମର୍ଥକମାନେ ଯେଉଁ ଆଶା ରଖିଥିଲେ ତାହା ୨ ତାରିଖ ପର୍ଯ୍ୟନ୍ତ ଘୁଞ୍ଚତ୍ୟାଇଛି। ଯାହାକୁ ନେଇ ନୀଳମଣିଙ୍କ ସମର୍ଥକମାନେ ନିରାଶ ହୋଇଛନ୍ତି। ଗୁରୁବାର ନୀଳମଣିଙ୍କୁ ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଜାମିନ ମିଳିବ ବୋଲି ତାଙ୍କ ସମର୍ଥକମାନେ ଆଶା ରଖିଥିଲେ। ଏନେଇ ନୀଳମଣିଙ୍କ ଓକିଲ ସୋରଡା ଏଡିଜେ କ୍ୟାମ୍ପ କୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ସୋରଡା ପୋଲିସ ନିର୍ବାଚନରେ ବ୍ୟସ୍ତ ଥିବା ଯୋଗୁ ଆଜି ସିଡି ଦାଖଲ କରିପାରି ନ ଥିଲା। ଫଳରେ ଆଜି ନୀଳମଣିଙ୍କୁ ଜାମିନ ମିଳିପାରି ନ ଥିଲା। ଏହାର ପରବର୍ତ୍ତୀ ଶୁଣାଣି ୨ରେ ହେବ ବୋଲି ଏଡିଜେ ମହଲତ ସା ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ସୋରଡା କୋର୍ଟରେ ସରକାରଙ୍କ ପକ୍ଷରୁ ଗଞ୍ଜାମ ପିପି ଅଜିତ କୁମାର ପଟ୍ଟନାୟକ ଓ ଭଞ୍ଜନଗର ଅତିରିକ୍ତ ପିପି ଏମ୍‌. ତାଜ୍‌ ଆଦେନୀ ମକଦ୍ଦମା ପରିଚାଳନା କରୁଥିଲେ। ଏନେଇ ଆଦେନୀ ଏଠାରେ ସୂଚନା ଦେଇଛନ୍ତି ଯେ, ଆଉ ଏକ ମାମଲାରେ ନୀଳମଣିଙ୍କୁ ଶୁକ୍ରବାର ଭଞ୍ଜନଗର କୋର୍ଟରେ ହାଜର କରାଯିବ। ସେହିଭଳି ସୋରଡା ଜେଏମ୍‌ଏଫସିଙ୍କ ଅନୁପସ୍ଥିତିରେ ଭଞ୍ଜନଗର ଏସ୍‌ଡିଜେମ୍‌ କୋର୍ଟରେ ନୀଳମଣିଙ୍କୁ ଆଉ ଏକ ମାମଲାରେ ଗୁରୁବାର କଡା ସୁରକ୍ଷା ମଧ୍ୟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ସୋରଡା ଜେଲ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ ନୀଳମଣିଙ୍କ ଓକିଲ ଖରାଂଶୁ ଶେଖର ଦାସ ଏଠାରେ କହିଛନ୍ତି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି ନୀଳମଣିଙ୍କୁ ହଇରାଣ କରାଯାଉଛି। ଆଗାମୀ ଦିନରେ ନିଶ୍ଚିତ ନ୍ୟାୟ ମିଳିବ।