ଇଭିଏମ୍‌ ସ୍ବଚ୍ଛତାକୁ ଚ୍ୟାଲେଞ୍ଜ ହାଇକୋର୍ଟରେ ମାମଲା

କଟକ ଅଫିସ,୧୫ା୬: ଇଭିଏମ୍‌ର ସ୍ବଚ୍ଛତାକୁ ନେଇ ବିବାଦ ଥମୁନାହିଁ। ଇଭିଏମ୍‌ରେ ଜାଲିଆତି ହେଉଥିବା ନେଇ ଜାତୀୟ ସ୍ତରରେ କେତେକ ବିରୋଧୀ ଦଳ ବାରମ୍ବାର ଆପତ୍ତି ଅଭିଯୋଗ ଆଣୁଛନ୍ତି। ଏବେ ଇଭିଏମ୍‌କୁ ନେଇ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଛି। ଭୁବନେଶ୍ୱର ଅଞ୍ଚଳର ସୁବ୍ରତ କୁମାର କର ଇଭିଏମ୍‌ର ସ୍ବଚ୍ଛତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ସେ ପିଟିଶନରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ଘଟିଥିବା ଘଟଣାକୁ ଉଲ୍ଲେଖ କରିବା ସହିତ ଏହାର ସିବିଆଇ ତଦନ୍ତ ନିବେଦନ କରିଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି, କେଉଁଠି ପୋଲିଂଠାରୁ ଇଭିଏମ୍‌ରୁ କମ୍‌ ଭୋଟ ବାହାରୁଛି ତ କେଉଁଠି ପୋଲିଂଠାରୁ ଅଧିକ ଭୋଟ ବାହାରୁଛି। କଣ୍ଟାବାଞ୍ଜି ବିଧାନସଭା ଆସନରେ ମୋଟ୍‌ ୧ ଲକ୍ଷ ୮୨ ହଜାର ୪୧୧ ଜଣ ମତଦାତା ମତାଧିକାର ସାବ୍ୟସ୍ତ କରିଥିଲେ। କିନ୍ତୁ ଭୋଟ୍‌ ଗଣତି ସମୟରେ ଇଭିଏମ୍‌ରୁ ୧ ଲକ୍ଷ ୯୧ ହଜାର ୦୭୭ ଖଣ୍ଡ ଭୋଟ୍‌ ବାହାରିଥିଲା। ସମୁଦାୟ ପୋଲିଂ ଓ ଇଭିଏମ୍‌ରୁ ବାହାରିଥିବା ଭୋଟକୁ ତୁଳନା ପରେ ୮୬୬୬ ଖଣ୍ଡ ଭୋଟ ଅମେଳ ରହୁଛି। କେବଳ କଣ୍ଟାବାଞ୍ଜି ନୁହେଁ ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ଘଟଣା ଘଟିଛି। ତେଣୁ ଏହାର ସିବିଆଇ ତଦନ୍ତ ପାଇଁ ଆବେଦନକାରୀ କର ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି। ପିଟିଶନରେ ସେ ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଛନ୍ତି।

Share