ଇଭେଣ୍ଟ ମ୍ୟାନେଜରଙ୍କୁ ଅପହରଣ ପରେ ମୁଣ୍ଡଜାମିନ: ମାଷ୍ଟରମାଇଣ୍ଡ ଗିରଫ, ଜଣେ ଫେରାର

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ଜଣେ ଇଭେଣ୍ଟ ମ୍ୟାନେଜରଙ୍କୁ ଅପହରଣ ପରେ ମୁଣ୍ଡଜାମିନ କରି ସାଢେ ୩ଲକ୍ଷ ନେବା ଅଭିଯୋଗରେ ନୟାପଲ୍ଲୀ ପୋଲିସ ରବିବାର ମାଷ୍ଟରମାଇଣ୍ଡଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଖାରବେଳ ନଗର ବ୍ଲକ-ଡି ଶିଳ୍ପାଞ୍ଚଳରେ ରହୁଥିବା ଅକ୍ଷୟ କୁମାର ମହାରଣା। ଏ ନେଇ ପୋଲିସ କେସ୍‌ ନଂ-୫୮୨/୧୯ରେ ରୁଜୁ କରିଛି। ଅକ୍ଷୟଙ୍କ ସହଯୋଗୀ ଫେରାର ଥିବାବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ତମାଣ୍ଡୋ ଟ୍ରାଇଟେଣ୍ଟ ଗ୍ୟାଲେକ୍ସିରେ ରହୁଥିବା ଜିମୁତୋଷ ଶର୍ମା ଏକ ଇଭେଣ୍ଟ ସଂସ୍ଥାର ମ୍ୟାନେଜର ଭାବେ କାମ କରୁଥିଲେ। ଏପରିକି ଇଭେଣ୍ଟରେ ବ୍ୟବହାର ହେଉଥିବା ଲାଇଟ୍‌, ଡିଜେ ଏବଂ ଅନ୍ୟାନ କାମ ପ୍ରୋଗ୍ରାମର ଭାବେ ଅକ୍ଷୟ ବୁଝନ୍ତି। ଜିମୁତୋଷଙ୍କଠାରୁ ଅକ୍ଷୟ କିଛି ଟଙ୍କା ପାଇବାର ଥିବାରୁ ମାଗିଥିଲେ ମଧ୍ୟ ସେ ଦେଇ ନ ଥିଲେ। ଗତ ୧୦ ତାରିଖ ରାତିରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଷ୍ଟାର ହୋଟେଲ ନିକଟରେ ଥିବା ପଡିଆରେ ଇଭେଣ୍ଟ କରାଯାଉଥିଲା। ଅକ୍ଷୟ ତା’ର ସାଙ୍ଗଙ୍କ ସହ ସେଠାକୁ ଯାଇ ଜିମୁତୋଷଙ୍କୁ ମାଡ଼ ମାରି ବାଇକରେ ଅପହରଣ କରି ଶହୀଦନଗର ଥାନା ଏକ ହୋଟେଲ ନିକଟକୁ ଆଣି ଏକ ଘରେ ରଖିଥିଲେ। ସେଠାରେ ତାଙ୍କୁ ମାଡ ମାରିବା ସହ ସାଢ଼େ ୩ଲକ୍ଷ ଟଙ୍କା ମୁଣ୍ଡଜାମିନ ରଖିଥିଲେ। ରାତି ହେବାରୁ ବାଧ୍ୟ ହୋଇ ଜିମୁତୋଷ ତାଙ୍କର ଜଣେ ସାଙ୍ଗକୁ ଫୋନ୍‌ କରି ଟଙ୍କା ଆଣିବାକୁ କହିଥିଲେ। ଟଙ୍କା ଆଣିବା ପରେ ଅକ୍ଷୟ ଓ ତାର ସହଯୋଗୀଙ୍କୁ ଅକ୍ଷୟ ଛାଡିଥିଲେ। ଏ ନେଇ ଜିମୁତୋଷ ୧୧ତାରିଖରେ ନୟାପଲ୍ଲୀ ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୋଲିସ ଅକ୍ଷୟଙ୍କୁ ଧରିଥିଲେ।

Share