ଇମାମୀନଗର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

ରେମୁଣା, ୫।୬(ଡି.ଏନ.ଏ.): କରୋନା କଟକଣା ପାଇଁ ଶୁକ୍ରବାର ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା ନିରାଡ଼ମ୍ବର ଭାବେ ସମ୍ପନ୍ନ ହୋଇଛି। ଇମାମୀ ନଗର ଜଗନ୍ନାଥଙ୍କ ମନ୍ଦିରରେ ଅନୁଷ୍ଠିତ ସ୍ନାନଯାତ୍ରା ଭକ୍ତଙ୍କ ବିନା ସମ୍ପନ୍ନ ହୋଇଛି। ପୂର୍ବାହ୍ନ ୬ଟାରେ ମଙ୍ଗଳାର୍ପଣ, ପୂର୍ବାହ୍ନ ୮ଟାରେ ଜୀଉମାନଙ୍କୁ ଧାଡ଼ି ପହଣ୍ଡି କରି ସ୍ନାନ ବେଦିକୁ ନିଆଯାଇଥିଲା। ସେଠାରେ ସକାଳ ସାଢ଼େ ୯ଟାରେ ମଙ୍ଗଳ ଆରତୀ ଓ ଅବକାଶ ମଇଲମ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ଜଳଧିବାହ କରାଯାଇ ଦିନ ୧୧ଟାରେ ସ୍ନାନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ୧୧ଟା ୪୫ରେ ଛେରାପହଁରା, ୧୨ଟା ୧୫ରେ ଗଜାନନ ବେଶ ସିଙ୍ଗାର ହୋଇଥିଲା। ଦିନ ୧ଟା୧୫ରେ ଜୀଉମାନଙ୍କ ନିକଟରେ ୫୬ ଭୋଗ ଲାଗି କରାଯାଇଥିଲା। ପୁଷ୍ପାଞ୍ଜଳି ପରେ ଜୀଉମାନେ ଗୋଟି ପହଣ୍ଡିରେ ଅଣସର ଘରକୁ ବିଜେ କରିଥିଲେ। ଆସନ୍ତା ୨୨ ତାରିଖରେ ନବଯୌବନ ବେଶରେ ଠାକୁର ଅଣସରରୁ ବାହାରି ରଥାଋଢ଼ ହେବେ। ସମସ୍ତ କାଯର୍‌ୟକ୍ରମ ଇମାମୀ ଗ୍ରୁପର ଅନ୍ୟତମ ନିର୍ଦ୍ଦେଶକ ସୁଶୀଲ କୁମାର ଗୋୟେଙ୍କାଙ୍କ ତତ୍ତ୍ୱାବଧାନରେ ଇମାମୀ କାରଖାନାର ସିନିୟର ପରିଚାଳନା ନିର୍ଦ୍ଦେଶକ ଏମବିଏସ୍‌ ନାୟାର, ନିର୍ଦ୍ଦେଶକ ସୁଶିଲ କୁମାର ଖୈତାନ, ମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରଶନ୍ନ କୁମାର ସିଂହ ସାମନ୍ତ ପ୍ରମୁଖ ପରିଚାଳନା କରିଥିଲେ।