ଇମୋଜି

ବର୍ତ୍ତମାନ କାହାକୁ ମେସେଜ୍‌ କରିବା ଲାଗି ଟେକ୍ସଟ୍‌ ବଦଳରେ ସହଜ ଏବଂ ଶୀଘ୍ର ହେଉଥିବାରୁ ଇମୋଜି ସବୁଠୁ ଅଧିକ ବ୍ୟବହାର ହେଉଛି। ଏହା ମାଧ୍ୟମରେ ମନର ଭାବ ପ୍ରକାଶ କରିବା ବି ସହଜ। ତେବେ ଜାଣିବା ଏହା ସମ୍ପର୍କରେ କିଛି ରୋଚକ ତଥ୍ୟ…

ଇମୋଜି। ପ୍ରଥମେ ଜାପାନର ଜଣେ ମୋବାଇଲ କମ୍ପାନୀ କର୍ମଚାରୀ ଶିଗେଟାକା କୁରିଟାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତାଙ୍କୁ ଇମୋଜିର ଜନକ ବୋଲି ମଧ୍ୟ କୁହାଯାଇଥାଏ।
ସେ ଏହି ଶବ୍ଦଟି ଇ+ମୋଜି ଅର୍ଥାତ୍‌ ପିକ୍ଚର+କ୍ୟାରେକ୍ଟର ବା ଚିତ୍ର+ଚରିତ୍ରକୁ ନେଇ ଆରମ୍ଭ କରିଥିଲେ। ସେ ଖବରକାଗଜ ଏବଂ ଟେଲିଭିଜନରେ ପାଣିପାଗ ସୂଚନା ଲାଗି ଶବ୍ଦ ବଦଳରେ ଦିଆଯାଉଥିବା ସିମ୍ବଲଗୁଡିକୁ ଦେଖି ମଣିଷର ଭାବକୁ ଶବ୍ଦ ବଦଳରେ ଚିତ୍ର ମାଧ୍ୟମରେ ପ୍ରକାଶ କରିବାକୁ ଉଦ୍ୟମ କରିଥିଲେ।
ଏଥିଲାଗି ସେ ନିଜର ଏକ ଟିମ୍‌ଙ୍କ ସହାୟତାରେ ପ୍ରଥମେ ୧୭୬ଟି ଇମୋଜି ପ୍ରସ୍ତୁତ କରିଥିଲେ। ପ୍ରଥମେ କେବଳ ମୁହଁରେ ବିଭିନ୍ନ ଭାବ ଥିବା ଚିତ୍ରକୁ ନିଆଯାଇଥିଲା। ଏହାବ୍ୟତୀତ ପୋଲିସ ଓ କନ୍‌ଷ୍ଟ୍ରକ୍ସନ କର୍ମଚାରୀମାନଙ୍କ ସିମ୍ବଲକୁ ପୁରୁଷ ଭାବେ ନେଇଥିବା ବେଳେ ମହିଳା ଅଧିକ ଶପିଂ ଏବଂ ବିୟୁଟିପାର୍ଲର ଯାଉଥିବାରୁ ସେମାନଙ୍କ ଚରିତ୍ରରେ କେଶ କାଟୁଥିବା କିମ୍ବା ମସାଜ ନେଉଥିବାର ଚିତ୍ର ଦିଆଯାଉଥିଲା।
ଧୀରେ ଧୀରେ ଶବ୍ଦ ପରିବର୍ତ୍ତେ ଏସବୁ ସିମ୍ବଲ ଲୋକାଦ୍ରୁତ ହେବାକୁ ଲାଗିଲା। ୨୦୦୭ରେ ମୋବାଇଲ୍‌ ଟେକ୍ନୋଲୋଜିରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଏବଂ ଏକାଧିକ ଟେଲିକମ୍‌ କମ୍ପାନୀର ନେଟ୍‌ଓ୍ବର୍କ ସାଙ୍ଗକୁ ସ୍ମାର୍ଟଫୋନ୍‌ର ବ୍ୟବହାର ଆରମ୍ଭ ହେବା ଦ୍ୱାରା ବିଭିନ୍ନ ପ୍ରକାର ଇମୋଜି ମଧ୍ୟ ପ୍ରସ୍ତୁତ କରାଗଲା। ବିଶେଷକରି ୨୦୧୧ରେ ଆପ୍‌ଲ ଦ୍ୱାରା ଇମୋଜି କି’ବୋର୍ଡ ଆରମ୍ଭ ହେବା ପରଠୁ ଏହା ଅଧିକ ବ୍ୟବହାର ହେଲା। ବର୍ତ୍ତମାନ ମଣିଷ ବ୍ୟତୀତ ପ୍ରତ୍ୟେକ ଜିନିଷର ମଧ୍ୟ ଇମୋଜି ଆସୁଥିବାରୁ ଶବ୍ଦର ବ୍ୟବହାର ସୋସିଆଲ ମିଡିଆରେ କ୍ରମଶଃ କମିବାରେ ଲାଗୁଛି।
ଇମୋଜି କଞ୍ଜୁମର ସାଇନ୍ସ ଟିମ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟ ମୁତାବକ ବର୍ତ୍ତମାନ ସମସ୍ତ ସୋସିଆଲ ସାଇଟ୍‌ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ ୯୨ ଭାଗ ଇମୋଜି ବ୍ୟବହାର କରୁଛନ୍ତି, ଯେଉଁମାନଙ୍କ ମଧ୍ୟରେ ୧୮ରୁ ୨୯ ବର୍ଷ ବୟସର ବ୍ୟବହାରୀଙ୍କ ସଂଖ୍ୟା ସର୍ବାଧିକ।