ଇମ୍ରାନଙ୍କ ଜିଦ୍‌ ପାଇଁ ପିତାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ପାରିଲେନି ପୁଅ

ଇସ୍‌ଲାମାବାଦ,୧୧।୨: ଚାଇନାର ଉହାନ ସହରରେ ରହି ପିଏଚ୍‌ଡି କରୁଥିବା ପାକିସ୍ତାନର ଛାତ୍ର ହସନ ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ନ ପାରିବାକୁ ନେଇ ପାକିସ୍ତାନର ଇମ୍ରାନ ସରକାରଙ୍କୁ ଦାୟୀ କରିଛନ୍ତି। ଚାଇନାରେ ଏବେ କରୋନାଭାଇରସ ମହାମାରୀର ରୂପ ନେଇଥିବା ବେଳେ ସେଠାରେ ଥିବା ପାକିସ୍ତାନ ନାଗରିକଙ୍କୁ ଇମ୍ରାନ ସରକାର ଫେରାଇ ଆଣିବାକୁ ଚାହୁଁ ନାହାନ୍ତି। ରୋଗର ଭୟାବହତାକୁ ଦେଖି ଇମ୍ରାନ ସରକାର ଏକ ପ୍ରକାର ଜିଦ୍‌ରେ ରହିଥିବା କୁହାଯାଉଛି। ଏପଟେ ହସନଙ୍କ ପିତା ହୃଦଘାତରେ ମୃତ୍ୟୁ ହେବା ପୂର୍ବରୁ ସେ ଥରେ ତାଙ୍କ ପୁଅକୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ଇମ୍ରାନ୍‌ ସରକାରଙ୍କ ଜିଦ୍‌ ପାଇଁ ସେ ସ୍ବଦେଶ ଫେରି ପାରି ନ ଥିବା କହିଛନ୍ତି। ଏମିତିକି ଏବେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ପାକିସ୍ତାନ ଆସିବାକୁ ଅନୁମତି ମିଳୁ ନ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନାଭାଇରସ ସଂକ୍ରମଣରେ ଏବେ ଚାଇନାରେ ପ୍ରାୟ ୧୦୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ହଜାରରୁ ଊର୍ଦ୍ଧ୍ୱ ଏଥିରେ ସଂକ୍ରମିତ ହୋଇଥିବା କୁହାଯାଉଛି।

Share