ଇମ୍ରାନଙ୍କ ୟୁ-ଟର୍ନ

ଇସଲାମାବାଦ୍‌,୩୦।୩:ପାକିସ୍ତାନ ରାଜନୈତିକ ଅସ୍ଥିରତା ଭିତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ୟୁ-ଟର୍ନ ନେଇଛନ୍ତି। ବୁଧବାର ସେ ଦେଶକୁ ସମ୍ବୋଧିକ କରିବାର ପୂର୍ବରୁ କାର୍ଯ୍ୟକ୍ରମ ଥିଲା। କିନ୍ତୁ ସେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବଂ ଆଇଏସଆଇ ମୁଖ୍ୟ ନଦିମ ଅଞ୍ଜୁମଙ୍କ ଭେଟିବା ପରେ ନିଜ ନିଷ୍ପତ୍ତି ବଦଳାଇ ଆଜିର ସମ୍ବୋଧନ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ସେନାଧ୍ୟକ୍ଷ ଓ ଆଇଏସଆଇ ମୁଖ୍ୟଙ୍କ ସହ ବୈଠକ ପରେ ଇମ୍ରାନ ଖାନ ଜାତୀୟ ସୁରକ୍ଷା ପରିଷଦର ମିଟିଂ ଡାକିଛନ୍ତି। ବୈଠକରେ ଇମ୍ରାନ ଅଧ୍ୟକ୍ଷତା କରି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ଅନାସ୍ଥା ପୂର୍ବରୁ ଆଜି ଇମ୍ରାନଙ୍କ ଘନିଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଏମକ୍ୟୁଏମ ସରକାରଙ୍କ ହାତ ଛାଡି ଦେଇଛି। ଏହାପରେ ପାକିସ୍ତାନ ସଂସଦରେ ଇମ୍ରାନଙ୍କ ପିଟିଆଇ ଦଳ ସଂଖ୍ୟା ଗରିଷ୍ଠତା ହରାଇଛି। ଗାଦି ବଞ୍ଚାଇବାକୁ ହେଲେ ଇମ୍ରାନଙ୍କୁ ୧୭୨ ଜଣ ସାଂସଦଙ୍କ ସମର୍ଥନ ଦରକାର। ଏବେ କିନ୍ତୁ ପିଟିଆଇ ସରକାରଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।
ସୂଚନାଯୋଗ୍ୟ, ଅର୍ଥନୀତି ଏବଂ ବୈଦେଶିକ ନୀତିକୁ ଠିକ ଭାବରେ ପରିଚାଳନା କରୁ ନ ଥିବାରୁ ବିରୋଧୀଦଳ ଇମ୍ରାନଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି। ସେମାନେ ପିଟିଆଇ ସରକାରକୁ ହଟାଇବାକୁ ଚାହୁଁଛନ୍ତି। ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମ୍‌ଏଲ-ଏନ୍‌) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ପ୍ରାୟ ୧୦୦ ଏମ୍‌ପି ଚଳିତ ମାସ ୮ରେ ଜାତୀୟ ବିଧାନସଭା ସଚିବାଳୟରେ ଅବିଶ୍ୱାସ ପ୍ରସ୍ତାବର ନୋଟିସ ଦେଇଛନ୍ତି।
ଇମ୍ରାନଙ୍କ ବିରୋଧରେ ସଂସଦରେ ମାର୍ଚ୍ଚ ୨୮ରେ ଅବିଶ୍ୱାସ ପ୍ରସ୍ତାବ ଆଗତ ହୋଇଥିଲା। ମାର୍ଚ୍ଚ ୩୧ରେ ଭୋଟିଂ ହୋଇ ଫଳାଫଳ ଆସିବ। ଅବିଶ୍ୱାସ ପ୍ରସ୍ତାବ ଜିତିବା ପାଇଁ, ସଂସଦର ନିମ୍ନ ଗୃହରେ ସମୁଦାୟ ୩୪୨ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭୨ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଜାତୀୟ ସଭାରେ ଇମ୍ରାନ ଖାନ ବହୁମତ ରହିଛି। ଏଠାରେ ତାଙ୍କ ପିଟିଆଇର ୧୫୫ ସଦସ୍ୟ ଏବଂ ମିଳିତ ସହଯୋଗୀ ଦଳର ୨୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳର ୧୬୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳ ଆଶା କରୁଛନ୍ତି ଯେ ଶାସକ ମିଳିତ ମଞ୍ଚର କିଛି ଅସନ୍ତୁଷ୍ଟ ବିଧାୟକ ତାଙ୍କ ସରକାରକୁ ହଟାଇବାରେ ସେମାନଙ୍କୁ ସମର୍ଥନ କରିବେ। ୨୦୧୮ରେ କ୍ରିକେଟରୁ ରାଜନେତା ପାଲଟିଥିବା ଇମ୍ରାନ କ୍ଷମତାକୁ ଆସିଥିଲେ ଏବଂ ପରବର୍ତ୍ତୀ ସାଧାରଣ ନିର୍ବାଚନ ୨୦୨୩ ରେ ହେବ।

 

Share