Advertisement

ଇର୍ଫାନ-ରିଷିଙ୍କ ମଧ୍ୟରେ ଥିଲା ଅଜବ ସଂଯୋଗ

ମୁମ୍ବାଇ: ବଲିଉଡ୍‌ ପାଇଁ ଏପ୍ରିଲ ମାସର ଶେଷ ଦୁଇ ଦିନ ଥିଲା ବେଶ୍‌ ଦୁଃଖଦ। ଏପ୍ରିଲ ୨୯-୩୦କୁ ବଲିଉଡ୍‌ ପାଇଁ କଳା ଦିନ ବୋଳି କୁହାଯାଉଛି। ଦୁଇ ଦିନ ମଧ୍ୟରେ ବଲିଉଡ୍‌ ହରାଇଲା ତା’ର ଦୁଇ ପୋଖତ କଳାକାରଙ୍କୁ। ୨୯ ତାରିଖରେ ଇର୍ଫାନ ଖାଁଙ୍କ କ୍ୟାନସରରେ ମୃତ୍ୟୁ ହେବାର ୨୪ ଘଣ୍ଟା ନ ପୁରୁଣୁ ଖବର ଆସିଲା ବଲିଉଡ୍‌ର ବରିଷ୍ଠ କଳାକାର ରିଷି କପୁରଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଛି। ଏହା ସିନେପ୍ରେମୀଙ୍କ ମନକୁ ଭାରାକ୍ରାନ୍ତ କରିଦେଲା। ଏବେ ଆଲୋଚନା ହେଉଛି କି ଏହି ଦୁଇ କଳାକାରଙ୍କ ମଧ୍ୟରେ ଥିଲା ଏକ ଅଜବ ସଂଯୋଗ। ଦୁହେଁ ୨୦୧୮ରେ କ୍ୟାନସରରେ ପୀଡିତ ହୋଇଥିଲେ। ବିଦେଶରେ ଚିକତ୍ସିତ ହୋଇ ଦୁହେଁ ୨୦୧୯ରେ ଭାରତ ଫେରିଥିଲେ। ଇର୍ଫାନ ଫେବୃୟାରୀରେ ଭାରତ ଆସିଥିବା ବେଳେ ରିଷି ୨୦୧୯ ସେପ୍ଟେମ୍ବରରେ ଭାରତ ଫେରି ଆସିଥିଲେ। ଆଉ ଏହାପରେ ଦୁହେଁ ୨୦୨୦ରେ ଆଗପଛ ହୋଇ ଇହଲିଳା ସମ୍ବରଣ କଲେ। ଇର୍ଫାନ-ରିଷି ‘ଡି-ଡେ’ ଫିଲ୍ମରେ ଯେଉଁ ଅଭିନୟ କରିଛନ୍ତି ଏବେ ତା’ର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟଙ୍କ କ୍ୟାରିୟରରେ ଏହି ଫିଲ୍ମ ସର୍ବଶ୍ରେଷ୍ଠ ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି। ସେହିପରି ଇର୍ଫାନ-ରିଷିଙ୍କ ମଧ୍ୟରେ ଆଉ ଏକ ସଂଯୋଗ ହେଉଛି ଉଭୟ ନିଜ ନିଜ ମା’ଙ୍କ ଅନ୍ତିମ ଦର୍ଶନ କରିପାରି ନ ଥିଲେ। ନିକଟରେ ଇର୍ଫାନଙ୍କ ମା’ଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ଅସୁସ୍ଥତା ଓ ଲକ୍‌ଡାଉନ କାରଣରୁ ସେ ତାଙ୍କ ମା’ଙ୍କ ଶେଷ ଦର୍ଶନ କରିପାରି ନ ଥିଲେ। ସେହିପରି ୨୦୧୮ରେ ରିଶି କପୁରଙ୍କ ମା’ଙ୍କ ଦେହାନ୍ତ ସମୟରେ ସେ ଚିକିତ୍ସିତ ହେବାକୁ ବିଦେଶ ଯାଇଥିବାରୁ ଶେଷ ସମୟରେ ମା’ଙ୍କୁ ଦର୍ଶନ କରିପାରି ନ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel