ଇରାକ ପାର୍ଲାମେଣ୍ଟରେ ସହମତି: ବିଦା ହେବେ ଆମେରିକା ସୈନ୍ୟ

ବେରୁଟ,୬ା୧(ଏପି): ଇରାକରୁ ଆମେରିକା ସୈନ୍ୟଙ୍କୁ ବିଦା କରାଯିବ। ଦେଶରୁ ଆମେରିକା ସେନାକୁ ବିତାଡ଼ିତ କରିବା ପାଇଁ ରବିବାର ଇରାକ ପାର୍ଲାମେଣ୍ଟରେ ସହମତି ପ୍ରକାଶ ପାଇଛି।
ପାର୍ଲାମେଣ୍ଟ ସଦସ୍ୟମାନେ ଦେଶରୁ ବିଦେଶୀ ସାମରିକ ଉପସ୍ଥିତି ହଟାଇବା ପାଇଁ ଅଣାଯାଇଥିବା ଏକ ସଂକଳ୍ପନାମା ସପକ୍ଷରେ ଭୋଟ ଦେଇଛନ୍ତି। ଇରାକର ବିଭିନ୍ନ ଭାଗରେ ଥିବା ୫,୦୦୦ ଆମେରିକୀୟ ସୈନ୍ୟଙ୍କୁ ଆମେରିକାକୁ ପ୍ରତ୍ୟାହାର କରାଇବା ସକାଶେ ଅଣାଯାଇଥିବା ଏହି ସଂକଳ୍ପନାମାକୁ ସଂଖ୍ୟାଗରିଷ୍ଠ ଶିୟା ସଦସ୍ୟ ସମର୍ଥନ କରିଛନ୍ତି। ଇରାନ ସେନା କମାଣ୍ଡର ଜେନେରାଲ କାସିମ୍‌ ସୋଲେମାନୀଙ୍କୁ ଇରାକ୍‌ ବିମାନବନ୍ଦରରେ ଶୁକ୍ରବାର ଆମେରିକା ରକେଟ ମାଡ଼ କରି ହତ୍ୟା କରିଥିଲା। ଏହାକୁ ନେଇ କ୍ଷେତ୍ରୀୟ ଉତ୍ତେଜନା ବୃଦ୍ଧିପାଇଥିବାରୁ ଇରାକ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ପ୍ରକାଶ ଯେ, ଇରାକରେ ଇସ୍‌ଲାମିକ୍‌ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇରେ ସହଯୋଗ କରିବା ପାଇଁ ୪ ବର୍ଷ ତଳେ ଓ୍ବାଶିଂଟନ ପକ୍ଷରୁ ସେଠାକୁ ସୈନ୍ୟ ପଠାଯାଇଥିଲା। ଅନ୍ୟପକ୍ଷରେ ଆମେରିକା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ୍‌ ବିରୋଧରେ ଇରାକ ଜାତିସଂଘରେ ଫେରାଦ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦରେ ଏନେଇ ଦୁଇଟି ଅଭିଯୋଗପତ୍ର ଦାଖଲ କରାଯାଇଥିବା ଇରାକ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
:

Share