ଇରାନ ଚକ୍ରାନ୍ତର ନିପୁଣ କାସିମ ସୋଲେମାନୀ: ମଧ୍ୟପ୍ରାଚ୍ୟରେ ଗଢ଼ିଥିଲେ ଏକ ଶିୟା କ୍ଷମତା କକ୍ଷ

ନ୍ୟୁୟର୍କ,୪ା୧: ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ଇରାକ, ସିରିଆ, ଲେବାନନ ଓ ୟେମେନ ସହ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ସହାୟକ ହୋଇଥିଲେ। ଏକ ଆଞ୍ଚଳିକ ଶିୟା କ୍ଷମତା କେନ୍ଦ୍ର ପ୍ରତିଷ୍ଠା ପାଇଁ ଇରାନ ଉଦ୍ୟମର ଚେହେରା ପାଲଟିଥିଲେ ଏହି ୬୨ ବର୍ଷୀୟ ସ୍ପାଏ ମାଷ୍ଟର। ସୋଲେମାନୀ ସିରିଆ ଗୃହଯୁଦ୍ଧର ରୂପ ବଦଳାଇ ଦେବା ସହ ଇରାକରେ ଇରାନର ହାତମୁଠାକୁ ଟାଣ କରିଥିଲେ। ଇରାକରେ ଶତାଧିକ ଆମେରିକୀୟଙ୍କ ହତ୍ୟା ଏବଂ ଇସ୍ରାଏଲ ବିରୋଧରେ ବିଦ୍ରୋହୀଙ୍କ ଆକ୍ରମଣ ପଛରେ ସେ ରହିଥିଲେ। ତାଙ୍କ ନିପୁଣତା ମଧ୍ୟପ୍ରାଚ୍ୟରେ ଏକ ଶିଆ କ୍ଷମତା କକ୍ଷ ନିର୍ମାଣ କରିଥିଲା। ଏହି କ୍ଷମତା କକ୍ଷର କେନ୍ଦ୍ରରେ ରହିଥିଲା ଇରାନ। ତାଙ୍କ ମୃତ୍ୟୁ ଏବେ ସମ୍ପୃକ୍ତ କ୍ଷେତ୍ରରେ ରାଜନୈତିକ ଉତ୍ତେଜନାରେ ଏକ ନୂଆ ଅଧ୍ୟାୟ ଯୋଡ଼ିପାରେ। ୧୯୭୯ରେ କିଶୋରାବସ୍ଥାରେ ଇସ୍‌ଲାମିକ ଗାର୍ଡସ କର୍ପସରେ ଯୋଗଦେଇ ଜେନେରାଲ ସୋଲେମାନୀ ଇରାନର ବିପ୍ଳବୀ ପିଢ଼ିର ଅଗ୍ରଦୂତ ସାଜିଥିଲେ। ୧୯୮୦ ଦଶକରେ ସେ ଇରାନ-ଇରାକ ଯୁଦ୍ଧ ବେଳେ ତାଙ୍କ ସାମରିକ କ୍ୟାରିୟରରେ ଉତ୍‌ଥାନ ଆସିଥିଲା। ୧୯୯୮ ପର୍ଯ୍ୟନ୍ତ ସେ ରିଭୋଲ୍ୟୁଶନାରି ଗାର୍ଡର ପ୍ରଭାବଶାଳୀ କୁଦ୍‌ସ ଫୋର୍ସର ମୁଖ୍ୟ ଥିଲେ। ପାଶ୍ଚାତ୍ୟରେ ତାଙ୍କୁ ଇରାନର ଆନ୍ତର୍ଜାତିକ ଆତଙ୍କବାଦ ଅଭିଯାନର ଏକ ଗୁପ୍ତ ଶକ୍ତି ରୂପେ ବିବେଚନା କରାଯାଉଥିଲା। ସୌଦି ଆରବର ଜଣେ ରାଷ୍ଟ୍ରଦୂତଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ସୋଲେମାନୀ ଓ ଅନ୍ୟ ଇରାନ ଅଧିକାରୀମାନଙ୍କୁ ୨୦୧୧ରେ ଆମେରିକା ଓ ଇସ୍ରାଏଲ ଆତଙ୍କବାଦୀ ଘୋଷଣା କରିଥିଲେ। ଗତବର୍ଷ ଏପ୍ରିଲରେ ସମ୍ପୂର୍ଣ୍ଣ କୁଦ୍‌ସ ବଳକୁ ଟ୍ରମ୍ପ୍‌ ପ୍ରଶାସନ ଅନ୍ତର୍ଜାତୀୟ ଆତଙ୍କବାଦୀ ଗୋଷ୍ଠୀ ଭାବେ ତାଲିକାଭୁକ୍ତ କରିଥିଲା। କିନ୍ତୁ ଇରାନରେ ବିଶେଷକରି ସୁରକ୍ଷା ସଂସ୍ଥାଗୁଡ଼ିକରେ ତାଙ୍କୁ ଜଣେ ହିରୋ ଭାବେ ବିବେଚନା କରାଯାଏ। ନିପୁଣତା ବଳରେ ସୋଲେମାନୀ ନିଜ ପାଇଁ ଜଣେ ଯୋଦ୍ଧା-ଦାର୍ଶନିକର ଛବି ତିଆରି କରିଥିଲେ, ଯାହାକୁ ନେଇ ସେ ଅନେକ ଶତ୍ରୁଙ୍କ ବିରୋଧରେ ଇରାନର ଜାତୀୟ ପ୍ରତିରକ୍ଷାର ମେରୁଦଣ୍ଡ ରୂପେ ଛିଡ଼ା ହୋଇଥିଲେ। ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନିଙ୍କ ଘନିଷ୍ଠ ଥିବା ଏହି ଯୋଦ୍ଧାଙ୍କ ମୃତ୍ୟୁ ପରେ ଦେଶରେ ତିନିଦିନିଆ ଶୋକଦିବସ ପାଳନ କରାଯାଉଛି। ଭଗବାନଙ୍କ ନିକଟକୁ ଯାତ୍ରା ତାଙ୍କର ମିଶନକୁ ଏଇଠି ଶେଷ କରିଦେଇନାହିଁ ବୋଲି ଖାମେନି କହିଛନ୍ତି।

Share