ଇରାନ ତେଲ ଟ୍ୟାଙ୍କରକୁ ବିସ୍ଫୋରଣରେ ଉଡାଇଲେ ଆତଙ୍କବାଦୀ: ବହୁ ପରିମାଣର କ୍ଷତି ଆଶଙ୍କା

ତେହେରାନ,୧୧।୧୦: ସୌଦି ଆରବ ଉପକୂଳରେ ଇରାନ ତେଲ ଟ୍ୟାଙ୍କର ଉପରେ ୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବା ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି। ଇରାନ ତୈଳ କମ୍ପାନୀ କହିଛି ସବିତି ନାମକ ସୁପର ଟ୍ୟାଙ୍କରକୁ ଶୁକ୍ରବାର ସକାଳେ ଯେଦ୍ଦା ବନ୍ଦରଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଆକ୍ରମଣ କରାଯାଇଛି। ଇରାନ ସମାଚାର ଏଜେନ୍ସି ISNAର ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଭେସେଲର ଦୁଇଟି ଟ୍ୟାଙ୍କର ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଏବେ ଲୋହିତ ସାଗରରେ ତେଲ ଲିକ୍‌ କରିବା ଅନୁମାନ କରାଯାଉଛି। ଲୋହିତ ସାଗର ମଧ୍ୟ ଦେଇ ଏହି ଟ୍ୟାଙ୍କର ନିଜ ଗନ୍ତବ୍ୟ ପଥରେ ବାହାରି ଯାଇଥିବା ବେଳେ ଏହି ଆକ୍ରମଣ କରାଯାଇଛି। ତେବେ ଚାଇନା ଓ ଆମେରିକା ମଧ୍ୟରେ ମତଭେଦ ଚରମ ସୀମାନେ ପହଞ୍ଚିଥିବା ବେଳେ ଏହି ଆକ୍ରମଣ କରାଯାଇଥିବା ବେଳେ ଏପଟେ ଏହାକୁ ନେଇ ସୌଦି ଆରବ କୌଣସି ପ୍ରତିକ୍ରିୟା ଦେଇନାହିଁ। ଏଥିରେ ଥିବା ଚାଳକ ଦଳ ସୁରକ୍ଷିତ ରହିଥିବା ସୂଚନା ମିଳିଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଅନୁମାନ କରାଯାଉଥିବା ବେଳେ ଏହାପରେ ଇରାନ ଓ ସୌଦି ଆରବ ମଧ୍ୟରେ ଶତ୍ରୁତା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି।

Share