Categories: ଖେଳ

ଇର୍ଫାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଶ୍ରୀଲଙ୍କା ଲିଜେଣ୍ଡ୍‌ସକୁ ହରାଇଲା ଇଣ୍ଡିଆ ଲିଜେଣ୍ଡ୍‌ସ

ମୁମ୍ବାଇ,୧୧।୩- ଇର୍ଫାନ ପଠାନଙ୍କ ଅପରାଜିତ ୫୭ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଇଣ୍ଡିଆ ଲିଜେଣ୍ଡ୍ସ ୫ ଉଇକେଟରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ହରାଇ ଦେଇଛି। ଡିଓ୍ବାଇ ପାଟିଲ ସ୍ପୋଟର୍‌ସ ଷ୍ଟାଡିୟମରେ ଚାଲିଥିବା ରୋଡ ସେଫଟି ଓ୍ବାଲର୍‌ଡ ସିରିଜ୍‌ରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱାଧୀନ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ୧୩୯ ରନ୍‌ ଟାଗେର୍ଟର ପିଛା କରୁଥିବା ଇଣ୍ଡିଆ ଲିଜେଣ୍ଡ୍ସ ଆରମ୍ଭରୁ ସଚିନ (୦), ବୀରେନ୍ଦ୍ର ସେହ୍ବାଗ (୩) ଓ ଯୁବରାଜ ସିଂ (୧)ଙ୍କ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଦଳ ୫ ଓଭର ସୁଦ୍ଧା ୩ ଉଇକେଟ ହରାଇ ୧୯ ରନ୍‌ କରିଥିଲା। ଏଭଳି ସ୍ଥିତିରେ ମହମ୍ମଦ କୈଫ ଓ ସଞ୍ଜୟ ବାଙ୍ଗର ଧିମା ଖେଳି ଚତୁର୍ଥ ଉଇକେଟ ପାଇଁ ୪୩ ରନ୍‌ ଯୋଡ଼ିଥିଲେ। ବାଙ୍ଗର(୧୮)ଙ୍କୁ ୧୧ତମ ଓଭରରେ ରଙ୍ଗାନ ହେରାଥ ଆଉଟ୍‌ କରିଥିଲେ। ଦଳକୁ ୩୪ ବଲରେ ୫୮ ରନ୍‌ ଦରକାର ଥିବାବେଳେ କୈଫ (୪୬) ବେପରୁଆ ଶଟ ଖେଳି ଉଇକେଟ ଦାନ କରିଦେଇ ଚାଲି ଯାଇଥିଲେ। ତାଙ୍କ ଉଇକେଟ ସହ ଇଣ୍ଡିଆ ଲିଜେଣ୍ଡ୍ସ ଚାପ ବୃଦ୍ଧି ପାଇଥିଲେ। ମାତ୍ର ୧୮ ତମ ଓଭରରେ ପରଭେଜ ମହାରୁଫଙ୍କଠାରୁ ୨୬ ରନ୍‌ ଆଦାୟ କରିଥିଲେ ମ୍ୟାଚ୍‌ର ମଙ୍ଗ ବଦଳାଇଥିଲେ ଇର୍ଫାନ। ତାଙ୍କୁ ଉଚିତ ସହଯୋଗ କରିଥିଲେ ମନପ୍ରୀତ ଗୋନି। ଦୁହେଁ ୫୮ ରନ୍‌ର ଭାଗୀଦାରି କରି ୮ ବଲ ପୂର୍ବରୁ ଦଳକୁ ଜିତାଇ ଦେଇଥିଲେ। ପୂର୍ବରୁ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଆମନ୍ତ୍ରଣ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୧୦ ଓଭରରେ ୩ ଉଇକେଟ ହରାଇ ୫୭ ରନ୍‌ କରିଥିଲା। ଅଧିନାୟକ ତିଲକରତ୍ନେ ଦିଲଶାନ (୨୩) ଷ୍ଟାର୍ଟ ପାଇଥିଲେ, ହେଲେ ବଡ଼ ସ୍କୋର କରିପାରି ନ ଥିଲେ। କ୍ରମାଗତ ବ୍ୟବଧାନରେ ଉଇକେଟ ପଡ଼ିବାରୁ ୧୯ ଓଭର ସୁଦ୍ଧା ଶ୍ରୀଲଙ୍କା ଲିଜେଣ୍ଡ୍ସ ସ୍କୋର ଥିଲା ୧୨୩/୮। ଅନ୍ତିମ ଓଭରରେ ଶେଷ ୩ ବଲରେ ରଙ୍ଗନା ହେରାଥ କ୍ରମାଗତ ୩ ଚୌକା ମାରିଥିଲେ। ଫଳରେ ଦଳ ଧାର୍ଯ୍ୟ ୨୦ ଓଭରରେ ୮ ଉଇକେଟ ହରାଇ ୧୩୮ ରନ୍‌ କରିଥିଲା। ଭାରତୀୟ ଦଳ ପାଇଁ ମୁନାଫ ପଟେଲ ୪ ଉଇକେଟ ନେଇଥିବାବେଳେ ଜାହିର ଖାଁ, ମନପ୍ରୀତ, ବାଙ୍ଗର ଓ ଇର୍ଫାନ ଗୋଟିଏ ଲେଖାଲଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ଲିଜେଣ୍ଡ୍‌ସ- ୨୦ ଓଭରରେ ୮/୧୩୮ (ତିଲକରତ୍ନେ ଦିଲଶାନ ୨୩, ଚମାରା କାପୁଗେଦରା ୨୩, ରମେଶ କାଲୁଓ୍ବିଥରାନା ୨୧, ମୁନାଫ ପଟେଲ ୧୯/୪, ମନପ୍ରୀତ ଗୋନି ୧/୧୯)
ଇଣ୍ଡିଆ ଲିଜେଣ୍ଡ୍‌ସ- ୧୮.୪ ଓଭରରେ ୫/୧୩୯ (ମହମ୍ମଦ କୈଫ ୪୬,ଇର୍ଫାନ ପଠାନ ୫୭*, ସଞ୍ଜୟ ବାଙ୍ଗର ୧୮, ଚାମିଣ୍ଡା ଭାସ ୨/୫, ସଚିଥ୍ରା ସେନାନାୟକେ ୧/୧୯)।

Share