Categories: ଖେଳ

ଇର୍ଫାନ ପଠାନଙ୍କ ଅବସର

ନୂଆଦିଲ୍ଲୀ,୪।୧- ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ବାମହାତୀ ପେସର ଭାରତ ପାଇଁ ୧୯ ଟେଷ୍ଟ, ୧୨୦ ଦିନିକିଆ ଓ ୨୪ ଟି୨୦ ଖେଳି ୩୦୧ ଉଇକେଟ ନେଇଥିଲେ। ୧୯ ବର୍ଷ ବୟସରେ ୨୦୦୩ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟରେ ସେ ୧୬୦ ରନ୍‌ ଦେଇ ଏକ ଉଇକେଟ ହାତେଇଥିଲେ। ମାଥ୍ୟୁ ହେଡେନ ତାଙ୍କ ପ୍ରଥମ ଶିକାର ଥିଲେ। କିଛି ଦିନ ମଧ୍ୟରେ ସେ ଜାତୀୟ ଦଳର ନିୟମିତ ଖେଳାଳି ପାଲଟି ଯାଇଥିଲେ। ୨୦୦୬ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଓଭରରେ ହ୍ୟାଟ୍ରିକ ନେବା ଓ ୨୦୦୭ ଟି୨୦ ବିଶ୍ୱକପ୍‌ ଫାଇନାଲରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇବା ଥିଲା ତାଙ୍କ କ୍ୟାରିୟରର ଉଲ୍ଲେଖନୀୟ ସଫଳତା। ସେ ଦେଶର ଅନ୍ୟତମ ଅଲରାଉଣ୍ଡର ମଧ୍ୟ ଥିଲେ। ସେ ବହୁବାର ଓପନର ଓ ୩ ନମ୍ବରରେ ବ୍ୟାଟିଂ କରିଥିଲେ। ୨୯ ଟେଷ୍ଟର ୪୦ ଇନିଂସରେ ୩୧.୫୭ ଆଭରେଜରେ ଏକ ଶତକ ଓ ୬ ଅର୍ଦ୍ଧଶତକ ସହ ୧,୧୦୫ ରନ୍‌ କରିଥିଲେ। ଦିନିକିଆ ଓ ଟି୨୦ରେ ତାଙ୍କ ଆଭରେଜ ଥିଲା ଯଥାକ୍ରମେ ୨୩.୩୯ ଓ ୨୪.୫୭। ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟରେ ସେ ଶ୍ରେଷ୍ଠ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ। ଗତି ଓ ସୁଇଙ୍ଗ ହ୍ରାସ ପାଇବା ପରେ ଜାତୀୟ ଦଳରେ ତାଙ୍କ ଲାଗି ସ୍ଥାନ ହାତେଇବା କଷ୍ଟକର ହୋଇପଡ଼ିଥିଲା। ୨୦୦୮ରେ ଅନ୍ତିମ ଟେଷ୍ଟ ଖେଳିଥିବାବେଳେ କ୍ୟାରୟରର ଅନ୍ତିମ ଦିନିକିଆ ଓ ଟି୨୦ ୨୦୧୨ରେ ଖେଳିଥିଲେ। ଏହାପରେ ସେ ଘରୋଇ କ୍ରିକେଟରେ ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ସେ ୩୮୪ ପ୍ରଥମ ଶ୍ରେଣୀ ଉଇକେଟ, ୨୭୨ ଲିଷ୍ଟ ଏ ଉଇକେଟ ଓ ଟି୨୦ରେ ୧୭୩ ଇକେଟ ସହ କ୍ୟାରିୟର ଶେଷ କରିଛନ୍ତି। କ୍ୟାରିୟରରେ ପ୍ରାୟତଃ ବରୋଦା ପାଇଁ ଖେଳିଥିବା ଇର୍ଫାନ ଗତ ସିଜନରେ ଜମ୍ମୁ-କଶ୍ମୀର ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୩୫ ବର୍ଷୀୟ ଅଲରାଉଣ୍ଡର ୨୦୧୭ରେ ଅନ୍ତିମ ଆଇପିଏଲ ମ୍ୟାଚ୍‌ ଖେଳିଥିଲେ।

Share