ଇର୍ଷାନ୍ବିତ ହୋଇ ୫-ଟି ବିରୋଧରେ ମନ୍ତବ୍ୟ ଦେଉଛନ୍ତି ଅପରାଜିତା: ସସ୍ମିତ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିବା ପ୍ରସଙ୍ଗରେ ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି, ୫-ଟି କାର୍ଯ୍ୟକ୍ରମକୁ ସମାଲୋଚନା କରିବା ପରେ ଲାଗୁଛି ଅପରାଜିତାଙ୍କ ଆଇଡେଣ୍ଟି କ୍ରାଇସିସ୍‌ ହେଲାଣି। ଇର୍ଷାନ୍ବିତ ହୋଇ ସେ ୫-ଟି ଓ ମୋ ସରକାର ବିରୋଧରେ ମନ୍ତବ୍ୟ ଦେଉଛନ୍ତି। ୫-ଟି ଲୋକାଭିମୁଖି ହେବା ଦ୍ୱାରା ସେ ବିଚଳିତ ଓ ବିବ୍ରତ ହୋଇପଡ଼ିଛନ୍ତି। ଭାଜପା ଶାସିତ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ଏହାକୁ ଗ୍ରହଣ କରିବେ। ସରକାରଙ୍କ ଏକ ଭଲ ଯୋଜନାକୁ ଗୌଣ କରିବାକୁ ସେ ଅପଚେଷ୍ଟା ନ କରନ୍ତୁ ବୋଲି ସସ୍ମିତ ପ୍ରତିକ୍ରିୟାରେ କହିଛନ୍ତି।
ସୂଚନାଯୋଗ୍ୟ, ସମ୍ବଲପୁର ଗସ୍ତ ଅବସରରେ ୫-ଟିକୁ ସମାଲୋଚନା କରି ଅପରାଜିତା କହିଥିଲେ, ଏହା କୌଣସି ଅଭିନବ ପଦକ୍ଷେପ ନୁହେଁ। ଗୋଟିଏ କିମ୍ବା ଦୁଇଟିରେ ନୁହେଁ ବରଂ ସବୁ ବିଭାଗରେ ୫-ଟି ଆସୁ। ଏକ ପାଓ୍ବାର କରିଡର ସୃଷ୍ଟି କରି ମନ୍ତ୍ରୀ, ସଚିବଙ୍କୁ ଦୁର୍ବଳ କରା ନ ଯାଉ। ଅପରପକ୍ଷେ କର୍ମଚାରୀ ଓ ଡାକ୍ତରଙ୍କ ଉପରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଉଚିତ କି ପ୍ରଶ୍ନରେ ସେ କହିଥିଲେ, ସବୁ ଜିନିଷର ଏକ ତରିକା ରହିଛି। ସେମାନଙ୍କୁ ସମୟ ଦିଆଯାଉ ବୋଲି କହିଥିଲେ।

Share