Categories: ଖେଳ

ଇର୍‌ଫାନଙ୍କ ନୂଆ ଇନିଂସ

ଏକଦା ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ଅଲରାଉଣ୍ଡର ବିବେଚିତ ହେଉଥିବା ଇରଫାନ ପଠାନଙ୍କ ଖେଳ କ୍ୟାରିୟର ପ୍ରାୟତଃ ଶେଷ ପର୍ଯ୍ୟାୟରେ। ବର୍ତ୍ତମାନ ଜମ୍ମୁ ଓ କଶ୍ମୀର ଦଳର କୋଚ୍‌ ଦାୟିତ୍ୱ ନିର୍ବାହ କରୁଛନ୍ତି ଏହି ବାମହାତୀ ଷ୍ଟାଇଲିଶ୍‌ ଖେଳାଳି। ତାଙ୍କ କ୍ୟାରିୟର ଏବେ ଏକ ଭିନ୍ନ ମୋଡ଼ ନେବାକୁ ଯାଉଛି। ସେ ଚଳଚ୍ଚିତ୍ରରେ ପଦାର୍ପଣ କରି ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ର ସମୀକ୍ଷକ ତରନ ଆଦର୍ଶ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଇରଫାନ ଏକ ତାମିଲ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସୁଛନ୍ତି ବୋଲି ତରନ ଟୁଇଟ୍‌ କରି ଜଣାଇଛନ୍ତି। ଚଳଚ୍ଚିତ୍ରର ନାମକରଣ ହୋଇ ନାହିଁ। ତେବେ ସେ ବିକ୍ରମଙ୍କ ସହିତ ତାମିଲ ଚଳଚ୍ଚିତ୍ରରେ କାମ କରିବାକୁ ଯାଉଛନ୍ତି ବୋଲି ତରନ ଉଲ୍ଲେଖ କରିଛନ୍ତି। ଅଜୟ ଜ୍ଞାନମୁଥୁ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ। ଏହି ଚଳଚ୍ଚିତ୍ର ଲଳିତ କୁମାରଙ୍କ ସେବନ ସ୍କିନ ଷ୍ଟୁଡିଓ ଦ୍ୱାରା ପ୍ରାୟୋଜିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ଭାରତ ପକ୍ଷରୁ ଇରଫାନ ୨୯ ଟେଷ୍ଟ ୧୨୦ ଏକଦିବସୀୟ ଏବଂ ୨୪ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ୧୦୦ରୁ ଊର୍ଦ୍ଧ୍ୱ ଉଇକେଟ ମଧ୍ୟ ନେଇଛନ୍ତି। ଏହା ବ୍ୟତୀତ ଏକଦିବସୀୟ କ୍ରିକେଟରେ ୧୭୩ ଓ ଟି୨୦ରେ ୨୮ଟି ଉଇକେଟ ଅକ୍ତିଆର କରିଛନ୍ତି। ଟେଷ୍ଟରେ ଇରଫାନ ଗୋଟିଏ ଶତକ ସହ ୧୧୦୫, ଏକଦିବସୀୟରେ ୧୫୪୪ ଏବଂ ଟି୨୦ରେ ୧୭୨ ରନ ସ୍କୋର କରିଛନ୍ତି।

Share