Categories: ବାଣିଜ୍ୟ

ଇଲେକ୍ଟ୍ରିକ ଗାଡ଼ିର ରେଜିଷ୍ଟ୍ରେଶନ ଫିସ୍‌ ହେବ ଛାଡ଼

ନୂଆଦିଲ୍ଲୀ,୨୧-୬: ଦେଶରେ ପ୍ରଦୂଷଣମୁକ୍ତ ଇଲେକ୍ଟ୍ରିକ ବାହନ ଚଳାଚଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବ୍ୟାଟେରି ଚାଳିତ ସମସ୍ତ ପ୍ରକାର ଗାଡ଼ିର ରେଜିଷ୍ଟ୍ରେଶନ ଫିସ୍‌କୁ ଛାଡ଼ କରିବାକୁ ଯାଉଛନ୍ତି। ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଚିଠା ଜାରି କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ବାହନ ନିୟମ(ସିଏମ୍‌ଭିଆର୍‌)୧୯୮୯ ଅଧୀନରେ ୨ ପ୍ରକାର ରେଜିଷ୍ଟ୍ରେଶନ ଫିସ୍‌ ବ୍ୟବସ୍ଥା କରାଯିବ। ମନ୍ତ୍ରଣାଳୟ ପକ୍ଷରୁ ସିଏମ୍‌ଭିଆର୍‌ ଧାରା ୮୧ ଅଧୀନରେ ସଂଶୋଧନ କରିବା ଲାଗି ଚଳିତ ମାସ ୧୮ରେ ଏକ ଚିଠା ଅଧିସୂଚନା ଜାରି କରାଯାଇସାରିଛି। ନିୟମରେ ସଂଶୋଧନ ଅଣାଯାଇ ବ୍ୟାଟେରି ଚାଳିତ ସମସ୍ତ ଗାଡ଼ିର ରେଡିଷ୍ଟ୍ରେଶନ ଫିସ୍‌କୁ ଛାଡ଼ କରାଯିବାର ପ୍ରସ୍ତାବ ଦିଆଯାଇଛି। ଏନେଇ ସମସ୍ତ ପକ୍ଷଙ୍କଠାରୁ ପରାମର୍ଶ ଲୋଡାଯାଇଛି। ନୂଆ ନିୟମ ଅନୁଯାୟୀ, ବାଟେରିରେ ଚାଲୁଥିବା ଦୁଇ, ତିନି ଓ ଚାରି ଚକିଆ ଗାଡ଼ିର ନୂଆ ରେଜିଷ୍ଟ୍ରେଶନ ଅଥବା ପୁରୁଣା ଗାଡ଼ିର ନବୀକରଣ ଲାଗି କୌଣସି ଫିସ୍‌ ଆଦା କରାଯିବ ନାହିଁ। ଦେଶରେ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡ଼ି ଯୋଗୁ ପ୍ରଦୂଷଣ ବଢ଼ୁଥିବାରୁ ଏହାକୁ ହ୍ରାସ କରିବାକୁ ସରକାର ଚାହୁଁଛନ୍ତି। ଏଣୁ ବ୍ୟାଟେରି ଚାଳିତ ଗାଡ଼ି ଚଳାଚଳକୁ ସରକାର ପ୍ରୋତ୍ସାହିତ କରିବାକୁ ଆଗେଇ ଆସିଛନ୍ତି। ଏହାଦ୍ୱାରା ଅଶୋଧିତ ତେଲ କିଣିବା ଲାଗି ଦେଶକୁ ଭାରି ମାତ୍ରାରେ ଡଲାର ଖର୍ଚ୍ଚରୁ ରକ୍ଷା କରାଯାଇପାରିବ। ଫଳରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଇ-ରିକ୍ସାକୁ ପରିବହନର ବୈଧ ବାଣିଜି୍ୟକ ମାଧ୍ୟମ ଭାବେ ଅନୁମୋଦନ ଦେବା ପରେ ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଦେଶର ଏକାଧିକ ସହରରେ ଏବେ ଏହାର ପ୍ରଚଳନ ଓ ଆଦର ବଢ଼ିବାରେ ଲାଗିଛି।

Share