ବିଜୟଓ୍ବାଡା, ୧୩।୬: ଆନ୍ଧ୍ରପ୍ରଦେଶର ଜଣେ ନବନିର୍ବାଚିତ ବିଧାୟକ ଇଶ୍ୱରଙ୍କ ନାମରେ ନୁହେଁ, ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାମରେ ଶପଥ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନେଲ୍ଲୋରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା କୋଟାମରେଡ୍ଡୀ ଶ୍ରୀଧର ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ହେବା ପାଇଁ ଏଭଳି ପନ୍ଥା ଗ୍ରହଣ କରିଥିଲେ। ଜଗନମୋହନ ମୋ ପାଇଁ ଭଗବାନ ସଦୃଶ ବୋଲି ସେ କହିଛନ୍ତି। ଶପଥଗ୍ରହଣ ଉତ୍ସବବେଳେ ତାଙ୍କୁ ଶପଥ ପାଠ ପାଇଁ ଡକାଯାଇଥିଲା। ପ୍ରୋଟେମ ସ୍ପିକର ଶବାଙ୍ଗୀ ଅପାଲା ନାଇଡୁ ଶ୍ରୀଧର ରେଡ୍ଡୀଙ୍କୁ ଦ୍ୱିତୀୟଥର ଶପଥ ନେବା ପାଇଁ କହିଥିଲେ। ପରେ ସେ ଇଶ୍ୱରଙ୍କ ନାମରେ ଶପଥ ନେଇଥିଲେ। ମୁଁ ଗରିବ ପରିବାରରୁ ଆସିଛି। ମୋର କୌଣସି ରାଜନୈତିକ ପୃଷ୍ଠଭୂମି ନାହିଁ ତଥାପି ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା କରି ଟିକେଟ ଦେଲେ। ତେଣୁ ମୁଁ ତାଙ୍କ ପାଖରେ ଚିର କୃତଜ୍ଞ ବୋଲି ସେ କହିଛନ୍ତି।