Categories: ଖେଳ

ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌ ପଦବୀରୁ ଓହରିଲେ ମେଣ୍ଡେଜ୍‌

କୋଲକାତା, ୨୧ା୧ (ପି.ଟି.)-ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌ ଆଲେଜାଣ୍ଡ୍ରୋ ମେଣ୍ଡେଜ୍‌ ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କ ପଦବୀରୁ ଓହରିଯାଇଛନ୍ତି। ଏକ ଆଇ-ଲିଗ୍‌ ମ୍ୟାଚରେ ତାଙ୍କ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୋହନ ବାଗାନଠାରୁ ୧-୨ ଗୋଲରେ ପରାଜିତ ହେବାର ୪୮ଘଣ୍ଟା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଇଷ୍ଟ ବେଙ୍ଗଲର ହ୍ୟାଟ୍ରକ୍‌ ପରାଜୟ ପରେ ଏହି ସ୍ପାନିଶ ରେଫରି ବହୁ ସମାଲୋଚିତ ହୋଇଥିଲେ। ଇଷ୍ଟବେଙ୍ଗଲ ବର୍ତ୍ତମାନ ୭ଟି ମ୍ୟାଚରୁ ୮ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ମୋହନବାଗାନ ୮ଟି ମ୍ୟାଚରୁ ୧୭ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଅଗ୍ରଣୀ ରହିଛି। ପୂର୍ବତନ ରିୟଲ ମାଡ୍ରିଡ କାଷ୍ଟିଲା କୋଚ୍‌ ମେଣ୍ଡେଜ୍‌ଙ୍କ ଅଧୀନରେ ଇଷ୍ଟ ବେଙ୍ଗଲ ୨୦୧୮-୧୯ରେ ଇଷ୍ଟବେଙ୍ଗଲ ରନର୍ସଅପ୍‌ ହୋଇଥିଲା। କଲିକତା ଫୁଟ୍‌ବଲ ଲିଗ୍‌ ପ୍ରିମିୟର ଡିଭିଜନରେ ତୃତୀୟ ହୋଇଥିଲା। ମେଣ୍ଡେଜ କହିଛନ୍ତି ମୋ ସମୟରେ କ୍ଲବ ଅଗ୍ରଗତି କରିଥିବାରୁ ମୁଁ ଖୁସି। ମୋର ପରବର୍ତ୍ତୀ ଉତ୍ତରାଧିକାରୀଙ୍କ ନେତୃତ୍ୱରେ କ୍ଲବ ଆହୁରି ଉଚ୍ଚ ସ୍ତରକୁ ଯିବ ବୋଲି ମୋର ଆଶା। ନୂଆ ମୁଖ୍ୟ କୋଚ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଅନ୍ୟ କୋଚିଂ ଷ୍ଟାଫ୍‌ମାନେ ଦଳକୁ ଟ୍ରେନିଂ ଦେବା ଜାରି ରଖିବେ। ଇଷ୍ଟବେଙ୍ଗଲ ଏହାର ପରବର୍ତ୍ତୀ ମ୍ୟାଚ ଶନିବାର ଏକ ଆଓ୍ବେ ମ୍ୟାଚରେ ଚେନ୍ନାଇ ସିଟି ସହ ମୁକାବିଲା କରିବ।

Share