Categories: ଖେଳ

ଇଷ୍ଟ ଜୋନ୍‌ ସ୍ନୁକର: ସୁବ୍ରତ- ଶାହାବାଜ ଫାଇନାଲ

ଭୁବନେଶ୍ୱର,୧୪।୯(ସ୍ପୋଟର୍‌ସ ବ୍ୟୁରୋ)-
ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଫାଲ୍‌କନ ଚିଲିକା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଶୁକ୍ରବାର ନବମ ଦିବସରେ ପହଞ୍ଚିଛି। ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଶନିବାର ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଓଡ଼ିଶାର ସୁବ୍ରତ ଦାସ ଓ ପଶ୍ଚିମବଙ୍ଗର ଶାହାବାଜ ଆଦିଲ ଖାଁ ପରସ୍ପରକୁ ଭେଟିବେ। ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ସୁବ୍ରତ ଓଡ଼ିଶାର ଅନ୍ୟତମ ଖେଳାଳି ଆକାଶ ମହାପାତ୍ରଙ୍କୁ ୫-୧ (୫୯- ୫୭, ୫୯- ୩୨, ୬୩- ୬୭, ୬୦- ୩୫, ୬୧- ୧୭, ୪୦- ୧୪)ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଏହାପୂର୍ବରୁ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଶାହାବାଜ ନିଜ ରାଜ୍ୟର ମନୀଷ ଜୈନଙ୍କୁ ୫-୩ (୬୨- ୨୭, ୪୭- ୭୬, ୩୦- ୫୬, ୪୭- ୩୪, ୭୨-୦, ୪୨- ୭୨, ୧୨୦-୦, ୬୯- ୨୬)ରେ ହରାଇ ଫାଇନାଲକୁ ଉଠିଛନ୍ତି। ଶନିବାର ଅପରାହ୍ନ ୩ଟାରେ ଫାଇନାଲ ବେଷ୍ଟ ଅଫ୍‌ ୧୧ ଫ୍ରେମ୍‌ରେ ଖେଳାଯିବ।
ପୂର୍ବରୁ ସୁବ୍ରତ ଓ ଶାହାବାଜ ପରସ୍ପରକୁ ୨ଥର ଭେଟିଛନ୍ତି। ଉଭୟ ଗୋଟିଏ ଲେଖାଏ ମ୍ୟାଚରେ ବିଜୟୀ ହୋଇଛନ୍ତି। ନ୍ୟାଶନାଲ ୨୦୧୨ ମିଟ୍‌ରେ ସୁବ୍ରତ ଗ୍ରୁପ୍‌ ପର୍ଯ୍ୟାୟରେ ଶାହାବାଜଙ୍କୁ ୩-୧ରେ ହରାଇଥିଲେ। ଅନ୍ୟପଟେ ୨୦୧୯ ନ୍ୟାଶନାଲରେ ଶାହାବାଜ ୫-୩ରେ ସୁବ୍ରତଙ୍କୁ ପରାସ୍ତ କରିଥିଲେ। ଶାହାବାଜ ଏବେ ମୁସଲିମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କୋଲକାତାରେ ଅଭ୍ୟାସ କରୁଛନ୍ତି। ସେହିପରି ସୁବ୍ରତ କଟକ କ୍ଲବରେ ଅଭ୍ୟାସ କରି ଆସୁଛନ୍ତି। ସେମିଫାଇନାଲରେ ସୁବ୍ରତ ଅତି ସହଜରେ ବିଜୟୀ ହୋଇଥିଲେ। ତେବେ ଶାହାବାଜଙ୍କୁ ସଂଘର୍ଷ କରିବାକୁ ପଡିଥିଲା।

Share