Categories: ଜାତୀୟ

ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦ା୬(ପି.ଟି.): ଗୁଜରାଟରେ ଦୁଇଟି ରାଜ୍ୟ ସଭା ଆସନ ଲାଗି ଅଲଗା ଉପନିର୍ବାଚନ କରିବା ନିମନ୍ତେ ନିର୍ବାଚନ କମିଶନ (ଇସି) ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟ କଂଗ୍ରେସ ପକ୍ଷରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆସନ୍ତା ୨୪ ତାରିଖ ସୁଦ୍ଧା ଜବାବ ଦାଖଲ ଲାଗି ସର୍ବୋଚ୍ଚ ଅଦାଲତ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଦୀପକ ଗୁପ୍ତା ଓ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ୨୫କୁ ଧାର୍ଯ୍ୟ କରିଛନ୍ତି। ଗୁଜରାଟ କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିବେକ ଟାଙ୍ଖା ଉପସ୍ଥିତ ରହି ଦିଲ୍ଲୀ ହାଇକୋର୍ଟଙ୍କ ରାୟ ସେମାନଙ୍କ ସପକ୍ଷରେ ଯାଉଥିବା କହିଥିଲେ। ଉକ୍ତ ଆସନ ଆକସ୍ମିକ ନା ବୈଧାନିକ ଭାବେ ଖାଲିପଡିଛି ତାହା ଦେଖିବାକୁ ପଡିବ ବୋଲି ଖଣ୍ଡପୀଠ କହିଥିଲେ। ଆମ୍ରେଲି କଂଗ୍ରେସ ବିଧାୟକ ତଥା ଗୁଜରାଟ ବିଧାନସଭାରେ ବିରୋଧୀ ଦଳ ନେତା ପରେଶଭାଇ ଧନାନୀ ଇସିଙ୍କ ବିରୋଧରେ ପିଟିଶନ ଦାଏର କରିଥିଲେ। ପ୍ରକାଶ ଯେ, କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହ ଓ ସ୍ମୃତି ଇରାନୀ ଲୋକ ସଭାକୁ ନିର୍ବାଚିତ ହେବାପରେ ରାଜ୍ୟ ସଭାର ଦୁଇ ଆସନ ଖାଲିପଡିଛି।

Share