Categories: ଜାତୀୟ

ଇସିଙ୍କ କଟକଣା ସତ୍ତ୍ୱେ ଆଦିତ୍ୟନାଥଙ୍କ ଅଯୋଧ୍ୟା ଗସ୍ତ

ଅଯୋଧ୍ୟା,୧୮ା୪(ପି.ଟି.): ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର ଉପରେ ନିର୍ବାଚନ କମିଶନ (ଇସି) ୭୨ ଘଣ୍ଟିଆ ନିଷିଦ୍ଧାଦେଶ ଲଗାଇଥିବାବେଳେ ସେ ବୁଧବାର ଅଯୋଧ୍ୟାସ୍ଥିତ କେତେକ ମନ୍ଦିରକୁ ଯାଇ ପ୍ରାର୍ଥନା କରିବା ସହ ଏକ ଦଳିତ ପରିବାରକୁ ଯାଇଥିଲେ। ଏହାଦ୍ୱାରା ଇସିଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିବା ବିଏସ୍‌ପି ପକ୍ଷରୁ ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ଗୃହନିର୍ମାଣ ଯୋଜନାରେ ଉପକୃତ ହୋଇଥିବା ଏକ ଦଳିତ ପରିବାରରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନ କଲାବେଳେ ସେଠାରେ ଗାଁର ୫୦୦ ଲୋକ ଏକାଠି ହୋଇଥିଲେ ବୋଲି ବିଏସ୍‌ପି କହିଛି। ଏହାକୁ ନିର୍ବାଚନ ପ୍ରଚାର ବୋଲି ବିଏସ୍‌ପି ଜିଲା ସଭାପତି ମହେନ୍ଦ୍ର ପ୍ରତାପ ଆନନ୍ଦ କହିଛନ୍ତି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାମ ଜନ୍ମଭୂମି ନ୍ୟାସ ସଭାପତି ମହନ୍ତ ନିତ୍ୟଗୋପାଳ ଦାସ, ଦିଗମ୍ବର ଆଖଡା ମହନ୍ତ ସୁରେଶ ଦାସ ଏବଂ ବିଶ୍ୱ ହିନ୍ଦୁ ପରିଷଦ ମୁଖପାତ୍ର ଶରଦ ଶର୍ମାଙ୍କୁ ଭେଟିଥିଲେ। ହିନ୍ଦୁ ଭୋଟରଙ୍କୁ ପ୍ରଭାବିତ କରିବା ଏହାର ଉଦ୍ଦେଶ୍ୟ ବୋଲି ଅନ୍ୟ ଜଣେ ବିଏସ୍‌ପି ନେତା କହିଛନ୍ତି।

Share