ଇସ୍କନ ବିରୋଧରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୨ା୨:ଇସ୍କନ ପକ୍ଷରୁ ମୁମ୍ବାଇରେ ଗତ ଗୁରୁବାର ଅଦିନିଆ ରଥଯାତ୍ରା ଆୟୋଜିତ ହୋଇଥିଲା। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି ଦର୍ଶାଯାଇ ଏଭଳି ରଥଯାତ୍ରାକୁ ଓଡ଼ିଶାରେ ବିଶେଷକରି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳାସ୍ଥଳ ଶ୍ରୀକ୍ଷେତ୍ରରେ ତୀବ୍ର ବିରୋଧ କରାଯାଇଛି। ଇସ୍କନ ବାରମ୍ବାର ବିଧି ପରମ୍ପରାକୁ ବେଖାତିର କରୁଥିବାରୁ ଶ୍ରୀମନ୍ଦିର ସେବାୟତ, ଭକ୍ତ, ବୁଦ୍ଧିଜୀବୀ, ଗବେଷକଙ୍କ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଅଦିନିଆ ରଥଯାତ୍ରାକୁ ନେଇ ଶ୍ରୀଜଗନ୍ନାଥ ସେନା ରବିବାର ବିକ୍ଷୋଭ କରିବା ସହ ଇସ୍କନ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଛି।
ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ରବିବାର ସିଂହଦ୍ୱାର ଆଗରେ ବିକ୍ଷୋଭ ପ୍ରଦର୍ଶନ ଏବଂ ରାଧାକାନ୍ତଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ତାଙ୍କୁ ତୁରନ୍ତ ଗିରଫ କରିବା ଲାଗି ଏତଲା ଦିଆଯାଇଛି। ତୁରନ୍ତ ଭାରତରେ ଇସ୍କନକୁ ବ୍ୟାନ୍‌ ଏବଂ ପୁରୀକୁ ପ୍ରବେଶ ବନ୍ଦ କରାଯିବାକୁ ଦାବି ହୋଇଛି।

Share