ଇସ୍କନ ବିରୋଧରେ ପଦକ୍ଷେପ ନିଆଯିବ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର (ବ୍ୟୁରୋ)/ପୁରୀ ଅଫିସ, ୪।୨: ମୁମ୍ବାଇରେ ଅନୁଷ୍ଠିତ ଅଦିନିଆ ରଥଯାତ୍ରାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷକରି ମହାପ୍ରଭୁଙ୍କ ଲୀଳାସ୍ଥଳ ଶ୍ରୀକ୍ଷେତ୍ରରେ ଏହାର ଘୋର ବିରୋଧ କରାଯାଇଛି। ବାରମ୍ବାର ଇସ୍କନ ଏଭଳି ଆଚରଣ ଦେଖାଇ ବିଧି ପରମ୍ପରାକୁ ବେଖାତିର କରୁଥିବାରୁ ଶ୍ରୀମନ୍ଦିର ସେବାୟତ, ଭକ୍ତ, ବୁଦ୍ଧିଜୀବୀ, ଗବେଷକଙ୍କ ସମେତ ଏହାର ନିନ୍ଦା କରିଛନ୍ତି। ସୋମବାର ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ସେ କହିଛନ୍ତି ଯେ, ଏହି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ଜ୍ଞାତସାରରେ ରହିଛି। ଏହା ଜଗନ୍ନାଥ ସଂସ୍କୃତି ପ୍ରତି କୁଠାରାଘାତ। ତେବେ ବାହାର ରାଜ୍ୟରେ କିମ୍ବା ବାହାର ଦେଶରେ ସରକାର ଆଇନ ଭିତରେ ବନ୍ଧା ନୁହନ୍ତି। ତଥାପି ଏ ନେଇ ଇସ୍କନ ବିରୋଧରେ ପଦକ୍ଷେପ ନିଆଯିବ। ସେହିପରି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, ଏଭଳି ଘଟଣାକୁ ସମସ୍ତ ଜଗନ୍ନାଥପ୍ରେମୀ ବିରୋଧ କରୁଛନ୍ତି। ଏହି ବିରୋଧ ଆଗକୁ ଆହୁରି ଅଧିକ ହେବା ଉଚିତ। ବର୍ତ୍ତମାନ ଇସ୍କନକୁ ତାଗିଦ କରିବାର ସମୟ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ଏହି ତାଗିଦ କରିବା କଥା। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦିଆଯିବ।

Share