ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ବାର ଏବେ ଅଡୁଆରେ ପଡିଯାଇଥିବା କୁହାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହୁଏତ ସେ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। କୁହାଯାଉଛି କି ସେ ସୋମବାର ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଓ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ସହ କଥା ହୋଇଥିଲେ। ଆଉ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସଙ୍କ ଘରକୁ ଯାଇଥିଲେ। ହେଲେ ଇତିମଧ୍ୟରେ କୁଆଡେ ଏନ୍ସିପି ନେତା ଛଗନ ଭୂଜବଳ ଓ ପ୍ରଫୁଲ୍ଲ ପଟେଳ ତାଙ୍କୁ ସାକ୍ଷାତ୍ କରିଛନ୍ତି। ପୁଣିଥରେ ସେ ଦଳକୁ ଫେରିବାକୁ ନେଇ ସେ ଶୀଘ୍ର ଚିନ୍ତା କରିବେ ବୋଲି କହିଛନ୍ତି। ତେଣୁ ବୁଧବାର ସନ୍ଧ୍ୟା ୫ଟାରେ ଭାଜପା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଥିବା ବେଳେ ଅଜିତ୍ କି ନିଷ୍ପତ୍ତି ନେଉଛନ୍ତି ଏବେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି। ରାତାରାତି ସେ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ହାତଛାଡି ଯେଭଳି ଭାବେ ଭାଜପା ସହ ମିଶି ସରକାର ଗଠନ କରିଥିଲେ ଏବେ ସେଥିରେ ପରିବର୍ତ୍ତନ ଆସିବ କି ନା ତାକୁ ସମସ୍ତଙ୍କର ଅପେକ୍ଷା ରହିଛି।