ଇସ୍ପାତ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପୂର୍ବ ଭାରତରେ ଅଧିକ ଇସ୍ପାତ ଉତ୍ପାଦନ ହେଉଥିବା କାରଣରୁ ଏହି ଅଞ୍ଚଳକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଭାରତର ବିଭିନ୍ନ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଇସ୍ପାତ ପରିମାଣ ତୁଳନାରେ ଅଧିକ ଭାଗ ପୂର୍ବଭାରତରେ ରହିଥାଏ। ଆନ୍ଧ୍ରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍‌ (ଆର୍‌ଆଇଏନ୍‌ଏଲ୍‌) ପରିଦର୍ଶନ କରିଥିଲେ। କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିିତ କରିବା ଅବସରରେ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ କାରଖାନାର ପରିଚାଳନା କାର୍ଯ୍ୟକୁ ଦେଖିବା ସହ ଇସ୍ପାତ ତିଆରି କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିିଥିଲେ। ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନଙ୍କ ଏହା ପ୍ରଥମ ଗସ୍ତ ଥିଲା। ଏହି କ୍ଷେତ୍ର ସମେତ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ଆର୍ଥିକ କ୍ଷେତ୍ର କରିବା ଦିଗରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି କୋଣରେ ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ ପୂର୍ବ ଭାରତର ଅଧିକ ଯୋଗଦାନ ରହିବ। ନୂଆ ଭାରତ ନିର୍ମାଣରେ ଆନ୍ଧ୍ର ପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିିକା ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରଣାଳୟ ଆନ୍ଧ୍ରରେ ୨ ଲକ୍ଷ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ତିଆରି କରିବାର ଯୋଜନା ରଖିଛନ୍ତି। ଯେଉଁ ସବୁ ପ୍ରକଳ୍ପ ଆଞ୍ଚଳିକ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ତ୍ୱରାନ୍ବିତ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share