Categories: ବାଣିଜ୍ୟ

ଇସ୍ପାତ ପ୍ରକଳ୍ପ ଲାଗି ଜମି ଯୋଗାଣ;ସେଲ୍‌କୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୧୦-୬: ରାଷ୍ଟ୍ରାୟତ୍ତ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ନୂଆ ୟୁନିଟ୍‌ ସ୍ଥାପନା ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବାବେଳେ ଏହାକୁ ସବୁଜ ସଙ୍କେତ ମିଳିଛି। କମ୍ପାନୀ ବର୍ତ୍ତମାନ ବାର୍ଷିକ ୫୦ ନିୟୁତ ଟନ୍‌ ସମ୍ପ୍ରସାରଣ ଯୋଜନା ରଖିଛି। ଏଥି ଅନ୍ତର୍ଗତ ଓଡ଼ିଶାରେ ବାର୍ଷିକ ୩ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏକ ୟୁନିଟ ବସାଇବା ଲାଗି କମ୍ପାନୀ ପକ୍ଷରୁ ଯୋଜନା ରହିଛି। ଏହା ୧୫,୦୦୦ କୋଟି ଟଙ୍କାରେ ସ୍ଥାପନ ହେବ। ଜମି ପାଇଁ କମ୍ପାନୀ ପକ୍ଷରୁ ରାଜ୍ୟ ସରକାରଙ୍କୁ ପୂର୍ବରୁ ଚିଠି ଲେଖାଯାଇଥିଲା। ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ସଚିବଙ୍କଠାରୁ ରେସପନ୍ସ ପାଇ ଖୁସି ବୋଲି ସେଲ ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀ ସୂଚନା ଦେଇଛନ୍ତି। ପ୍ଲାଣ୍ଟ ସ୍ଥାପନ ନେଇ ରାଜ୍ୟ ସରକାର ଆମନ୍ତ୍ରଣ କରିଥିବା ସେ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେଲର କୌଣସି ପ୍ଲାଣ୍ଟ ଉପକୂଳରେ ସ୍ଥାପନ ହୋଇନାହିଁ। ଓଡ଼ିଶାରେ ପ୍ଲାଣ୍ଟ ସ୍ଥାପନା ପାଇଁ ଜମି ଉପଲବ୍ଧତା ଉପରେ ବିଚାର କରିବା ଲାଗି କମ୍ପାନୀର ଏକ ପ୍ରତିନିଧି ଦଳ ଶୀଘ୍ର ଓଡ଼ିଶା ଆସିବେ।
ପାରାଦୀପରେ ୟୁନିଟ ବସାଇବା ଲାଗି କମ୍ପାନୀର ଯୋଜନା ଉପରେ ଏକ ପ୍ରଶ୍ନର ଉତ୍ତରରେ ଚୌଧୁରୀ କହିଛନ୍ତି, ରାଜ୍ୟରେ ବହୁତ ଜମି ଶିଳ୍ପ ଲାଗି ଉପଲବ୍ଧ ରହିଛି। ପୂର୍ବରୁ କୋରିଆର ପ୍ରମୁଖ ଷ୍ଟିଲ କମ୍ପାନୀ ପସ୍କୋ ଜଗତସିଂହପୁର ଜିଲାର ପାରାଦୀପରେ ପ୍ଲାଣ୍ଟ କରିବା ଲାଗି ଇଛୁକ ଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରୁ ଓହରି ଯାଇଛି। ଏହି ଜମି ପାଇବା ପାଇଁ ଏକ ବଡ କମ୍ପାନୀ ଏକ୍ସପ୍ରେଶନ ଅଫ୍‌ ଇଣ୍ଟେରେଷ୍ଟ(ଇଓଆଇ) ପ୍ରଦାନ କରିଥିବା ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଥିଲେ। ସେଲ୍‌ ବର୍ତ୍ତମାନ କିଛି ଜାପାନ ଏବଂ କୋରିଆ କମ୍ପାନୀଙ୍କ ସହ ଆଲୋଚନା କରୁଛି। ଏ ନେଇ ଏକ ପ୍ରତିନିଧି ଦଳ ପୂର୍ବରୁ ଜାପାନ ଯାଇଥିଲେ। ଏଥିରେ ଇସ୍ପାତ ମନ୍ତ୍ରଣାଳୟ ଏବଂ ସେଲ ଅଧିକାରୀମାନେ ସାମିଲ ଥିଲେ। ଏହି ଦେଶଗୁଡିକରୁ ଟେକ୍ନୋଲୋଜି ସହଯୋଗ ମିଳିଲେ ଦେଶ ମଧ୍ୟରେ ଆଡଭାନ୍ସ ଷ୍ଟିଲ ନିର୍ମାଣ କରିବା ସହଜ ହେବ। ଏ ଦିଗରେ ଭଲ ରେସପନ୍ସ ପାଇଛୁ ବୋଲି ଚୌଧୁରୀ କହିଛନ୍ତି। ସେଲ୍‌ ଷ୍ଟିଲ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ବେଳେ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୨୧ ନିୟୁତ ଟନ୍‌ ରହିଛି।

Share