Categories: ଖେଳ

ଇସ୍ରୋକୁ ଅଭିନନ୍ଦନ ଜଣାଇଲା ଭାରତୀୟ କ୍ରିକେଟ ଦଳ

ନୂଆଦିଲ୍ଲୀ,୨୩।୭: ଭାରତୀୟ ସ୍ପେସ ଇତିହାସରେ ଯୋଡି ହୋଇଛି ସ୍ବର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ତା’ର ଚନ୍ଦ୍ରଯାତ୍ରା ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନର ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୨କୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଚନ୍ଦ୍ରୟାନ-୨ ଲଞ୍ଚ୍‌ ପରେ ଇସ୍ରୋକୁ ଚାରିଆରୁ ପ୍ରଶଂସାର ସୁଅ ଛୁଟିଛି। ଏହି କ୍ରମରେ ସାମିଲ ହୋଇଛି ଭାରତୀୟ କ୍ରିକେଟ ଦଳ। ଅଧିନାୟକ ବିରାଟ କୋହଲି ଇସ୍ରୋର ଏହି ସଫଳତା ଦେଶ ପାଇଁ ଗୌରବ ଆଣିଦେଇଛି ବୋଲି କହିଛନ୍ତି। ସେହିପରି ଚେତେଶ୍ୱର ପୂଜାରା ଟୁଇଟ କରି କହିଛନ୍ତି, ଦେଶ ପାଇଁ ଏହା ଐତିହାସିକ ମୁହୂର୍ତ୍ତ। ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗ ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ପାଇଁ ଇସ୍ରୋ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ସୋମବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ଚନ୍ଦ୍ରୟାନ-୨କୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି।