Categories: ରାୟଗଡା

ଇସ୍ରୋ ଗଲେ ନବରଙ୍ଗପୁରର ୨ ଛାତ୍ରୀ

ନବରଙ୍ଗପୁର,୪ା୬(ବି.ପ୍ର.)- ନବରଙ୍ଗପୁର ଜିଲାର ୨ ଜଣ ୧୦ମ ଶ୍ରେଣୀ ଛାତ୍ରୀ ଇସ୍ରୋ ଯିବା ପାଇଁ ମନୋନୀତ ହୋଇ ସୋମବାର ଅହମ୍ମଦାବାଦ ଗସ୍ତ କରିଛନ୍ତି। ଛାତ୍ରୀ ୨ ଜଣ ହେଲେ ଇପସିତା ଦାଶ ଓ ମିତା ହରିଜନ। ଟାଟାଷ୍ଟିଲ ପକ୍ଷରୁ ହୋଇଥିବା ୟଙ୍ଗ ଆଷ୍ଟ୍ରନମର ଟ୍ୟାଲେଣ୍ଟ ସର୍ଚ୍ଚ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇସ୍ରୋ ଯିବା ପାଇଁ ସେମାନେ ମନୋନୀତ ହୋଇଥିଲେ। ଆସନ୍ତା ୫,୬,୭ ଓ ୮ ତାରିଖରେ ଇସ୍ରୋଠାରେ ବୈଜ୍ଞାନିକଙ୍କ ସହ ଭାବ ବିନିମୟ କରିବେ । ଏଥି ସହ ଛାତ୍ରୀମାନଙ୍କ କିଛି ପ୍ରଶ୍ନର ଉତ୍ତର ବୈଜ୍ଞାନିକମାନେ ଦେବା ସହ ଭାରତୀୟ ବୈଜ୍ଞାନିକ ପଦ୍ଧତି ବିଷୟରେ ଜାଣିବାର ସୁଯୋଗ ସେମାନେ ପାଇବେ।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅଧୀନ ମିରଗାନଗୁଡା ଗାଁର ଦୁର୍ଗା ମାଧବ ଦାଶଙ୍କ ଝିଅ ଇପ୍‌ସିତା ଦାଶ ଏବେ ନବରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୧୦ମ ଶ୍ରେଣୀରେ ପାଠ ପଢୁଛନ୍ତିି ା ସେହିଭଳି ପାପଡାହାଣ୍ଡି ବ୍ଲକ ବରଦେଇ ଗାଁର ଲଛମନ ହରିଜନଙ୍କ ଝିଅ ମିତା ହରିଜନ ନନ୍ଦାହାଣ୍ଡି ବ୍ଲକ ବି. ମାଳିଗୁଡା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ୧୦ମ ଶ୍ରେଣୀରେ ପଢୁଛନ୍ତି ା ୨୦୧୮ ଅଗଷ୍ଟ ମାସରେ ୟଙ୍ଗ ଆଷ୍ଟ୍ରନମର ଟ୍ୟାଲେଣ୍ଟ ସର୍ଚ୍ଚ ପରୀକ୍ଷାରେ ଆଗାମୀ ୫୦ ବର୍ଷ ମଧ୍ୟରେ ମହାକାଶର ପରିକଳ୍ପନା ବିଷୟବସ୍ତୁ ଉପରେ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା ା ସେଥିରେ ସେମାନେ ଭାଗ ନେଇଥିଲେ। ରାଜ୍ୟର ୬୦ ଜଣ ପ୍ରତିଯୋଗୀ କୃତିତ୍ୱ ହାସଲ କରିଥିଲେ। ପରେ ଡିସେମ୍ବର ୨୦୧୮ରେ ଭୁବନେଶ୍ୱର ପଠାଣୀ ସାମନ୍ତ ଅଡିଟୋରିୟମ ଠାରେ ମୌଖିକ ପରୀକ୍ଷା ହୋଇଥିଲା ା ପ୍ରତ୍ୟେକଙ୍କୁ ୫ଟି ଲେଖାଏଁ ପ୍ରଶ୍ନ ପଚରା ଯାଇଥିଲା ା ସେଥିରେ ରାଜ୍ୟର ୨୦ ଜଣ କୃତିତ୍ୱ ହେବା ପରେ ମାନପତ୍ର ସହ କିଛି ବହି ପ୍ରଦାନ କରାଯାଇଥିଲା ା ରାଜ୍ୟର ୨୦ ଜଣଙ୍କ ମଧ୍ୟରେ ଇପ୍‌ସିତା ଓ ମିତା ରହିଥିଲେ। ୨ଛାତ୍ରୀଙ୍କ କୃତିତ୍ୱ ପାଇଁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ, ଜିଲାବାସୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭବିଷ୍ୟତରେ ବୈଜ୍ଞାନିକ ହେବାର ସ୍ବପ୍ନ ରହିଛି ବୋଲି ଇପ୍‌ସିତା ଓ ମିତା କହିଛନ୍ତି।