ଇୟୁରୁ ବିଦାୟ ନେଲା ବ୍ରିଟେନ

ଲଣ୍ଡନ/ବ୍ରସେଲ୍ସ,୧ା୨: ଦୀର୍ଘ ସାଢ଼େ ୩ ବର୍ଷର ଉଦ୍ୟମ ପରେ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯାଇଛି। ଏହା ୟୁରୋପ ଏବଂ ବ୍ରିଟେନ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଥିଲା। ଦୀର୍ଘ ଅର୍ଦ୍ଧଶତାବ୍ଦୀର ସମ୍ପର୍କ ଛିନ୍ନ କରି ବ୍ରିଟେନ ଇୟୁରୁ ବିଦାୟ ନେଇ ଏକ ନୂଆ ତଥା ଅନିଶ୍ଚିତ ସକାଳ ଆଡ଼େ ମୁହାଁଇଛି। ୨୮ ସଦସ୍ୟ ବିଶିଷ୍ଟ ୟୁରୋପୀୟ ସଂଘରୁ ଓହରିଯିବାରେ ବ୍ରିଟେନ ପ୍ରଥମ ଦେଶ। ୨୦୧୬ ଗଣଭୋଟଠାରୁ ବ୍ରେକ୍‌ଜିଟକୁ ସମର୍ଥନ କରିଆସୁଥିବା ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ବ୍ରିଟେନ ପାଇଁ ସମୃଦ୍ଧିର ନୂଆ ଯୁଗ ନିମନ୍ତେ ସମସ୍ତଙ୍କୁ ଏକାଠି କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଏହା ଶେଷ ନୁହେଁ ଆରମ୍ଭ ମାତ୍ର ବୋଲି ସେ କହିଛନ୍ତି। ୟୁରୋପୀୟ ସଂଘ ପାଇଁ ଏହା ଏକ ବଡ଼ ପରିବର୍ତ୍ତନ ବୋଲି ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ କହିଛନ୍ତି। ତେବେ ୧୧ ମାସ ପର୍ଯ୍ୟନ୍ତ ବିଶେଷ କିଛି ପରିବର୍ତ୍ତନ ଅନୁଭୂତ ହେବ ନାହିଁ। କାରଣ ଚୁକ୍ତି ଅନୁଯାୟୀ ବ୍ରିଟିଶମାନେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଇୟୁ ରାଷ୍ଟ୍ରଗୁଡ଼ିକ ସହ ଅବାଧରେ ବାଣିଜ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ କରିପାରିବେ। ଆମେ ବ୍ରିଟେନ ସହ ଯଥାସମ୍ଭବ ଭଲ ସମ୍ପର୍କ ରଖିବାକୁ ଚାହିଁବୁ। ତେବେ ଏହା କଦାପି ସଦସ୍ୟତା ଭଳି ଭଲ ହେବନାହିଁ ବୋଲି ୟୁରୋପୀୟ କମିଶନ୍‌ ଅଧ୍ୟକ୍ଷ ଉର୍‌ସୁଲା ଭନ୍‌ ଡେର୍‌ ଲେୟେନ କହିଛନ୍ତି। ଇୟୁରୁ ବ୍ରିଟେନ ଓହରିଯିବା ଆମ ସମସ୍ତଙ୍କ ପାଇଁ ଏକ କ୍ଷତ ବୋଲି ୟୁରୋପୀୟ ପାର୍ଲାମେଣ୍ଟର ଅଧ୍ୟକ୍ଷ ଡାଭିଡ ସାସୋଲି ଟୁଇଟ୍‌ କରିଛନ୍ତି। ଆସନ୍ତାକାଲିଠାରୁ ଆମେ ବ୍ରିଟେନ ସହ ନୂଆ ସମ୍ପର୍କ ଆରମ୍ଭ କରିବା ବୋଲି ସେ କହିଛନ୍ତି।

Share