Categories: ଜାତୀୟ

‘ଇୟୁ ଏମ୍‌ପିଙ୍କ ଗସ୍ତ କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକୀକରଣ କରିବା ପାଇଁ ନୁହେଁ’

ନୂଆଦିଲ୍ଲୀ,୧।୧୧(ପି.ଟି.):ୟୁରୋପୀୟ ସଂଘ (ଇୟୁ)ର ଏମ୍‌ପିମାନଙ୍କ ଜମ୍ମୁ-କଶ୍ମୀର ଗସ୍ତ ଉକ୍ତ ପ୍ରସଙ୍ଗକୁ ଆନ୍ତର୍ଜାତିକୀକରଣ କରାଇବା ଉଦ୍ଦେଶ୍ୟ ଆଦୌ ନୁହେଁ। ସେଥିପାଇଁ ଏଭଳି ପ୍ରତିନିଧି ଦଳ ଆନୁଷ୍ଠାନିକ ଚ୍ୟାନେଲ ଦେଇ ଆସିବାର ଆବଶ୍ୟକତା ନ ଥିଲା ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବୃହତ୍ତର ଜାତୀୟ ସ୍ବାର୍ଥକୁ ନେଇ ଏହି ଗସ୍ତ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା କି ନାହିଁ ତାହା ଦେଖିବା ହେଉଛି ବଡ଼ କଥା ବୋଲି ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ଲାଗି ଗତ ମଙ୍ଗଳବାର ଇୟୁରୁ ୨୩ ଜଣିଆ ଏମ୍‌ପିଙ୍କର ଏକ ପ୍ରତିନିଧି ଦଳ ସେଠାକୁ ଦୁଇଦିନିଆ ଗସ୍ତରେ ଆସିଥିଲେ। ସେମାନେ ଜମ୍ମୁ-କଶ୍ମୀର ସ୍ଥିତି ଅନୁଧ୍ୟାନ କରିବା ସହ ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ମନ୍ତବ୍ୟ ଦେଇଛନ୍ତି। ଏହା ବ୍ୟତୀତ ଆତଙ୍କବାଦ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ସେମାନେ ସମର୍ଥନ ଜଣାଇଛନ୍ତି। ସେମାନେ ସରକାରଙ୍କ ସହିତ ନୁହେଁ ଲୋକମାନଙ୍କ ସହ ମିଶିଥିଲେ। ତେଣୁ ଏହା କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକୀକରଣ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ରବୀଶ କୁମାର କହିଛନ୍ତି।

Share