Categories: ବାଣିଜ୍ୟ

ଇ-କମର୍ସ ନୀତିରେ ଖାଉଟିଙ୍କ ସୁରକ୍ଷାକୁ ଅଗ୍ରାଧିକାର;୧୪ ଦିନ ଭିତରେ ଦେବାକୁ ହେବ ରିଫଣ୍ଡ

ନୂଆଦିଲ୍ଲୀ,୭-୮: କେନ୍ଦ୍ର ସରକାର ଇତିମଧ୍ୟରେ ଇ-କମର୍ସ ଲାଗି ଗାଇଡଲାଇନ ଚିଠା ପ୍ରସ୍ତାବ ଜାରି କରିଛନ୍ତି। ଉପଭୋକ୍ତାଙ୍କ ହିତକୁ ଏଥିରେ ଅଗ୍ରାଧିକାର ଦିଆଯାଇଛି। ପ୍ରସ୍ତାବ ଅନୁଯାୟୀ ଅନ୍‌ଲାଇନ ସପିଂ କମ୍ପାନୀଗୁଡ଼ିକ ସାମଗ୍ରୀ ଏବଂ ସେବା ଯୋଗାଣ ଲାଗି ବିକ୍ରେତାଙ୍କ ସମ୍ପୂର୍ଣ୍ଣ ତଥ୍ୟ ନିଜ ଓ୍ବେବ୍‌ସାଇଟରେ ଦର୍ଶାଇବାକୁ ବାଧ୍ୟ ରହିବେ। ଉପଭୋକ୍ତାଙ୍କ ଅଭିଯୋଗର ସମାଧାନ ଲାଗି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ପଷ୍ଟ କରିବାକୁ ହେବ। ଏଥିସହିତ ରିଫଣ୍ଡ ଆବେଦନକୁ ସର୍ବାଧିକ ୧୪ ଦିନ ଭିତରେ ସମାଧାନ କରିବାକୁ ନିୟମ କରାଯାଇଛି। ଜାରି ଗାଇଡଲାଇନ ଚିଠା ଅନୁଯାୟୀ, ଇ-କମର୍ସ କମ୍ପାନୀଗୁଡ଼ିକ ଖାଉଟିଙ୍କ ବ୍ୟକ୍ତିଗତ ପରିଚୟ ଥିବା ସୂଚନାକୁ ସୁରକ୍ଷିତ ରଖିବେ। ସରକାର ଏହି ଚିଠା ପ୍ରସ୍ତାବ ଉପରେ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ମତାମତ ଦେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। ଇ-କମର୍ସ କ୍ଷେତ୍ରରେ ବିକାଶ ଲାଗି ସରକାରଙ୍କ ପକ୍ଷରୁ ଏକ ରାଷ୍ଟ୍ରୀୟ ନୀତି ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି।

Share