Categories: ଜାତୀୟ

ଇ-ଟିକେଟ ରାକେଟ୍‌ର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୨।୧: ଅନ୍ତର୍ଜାତୀୟ ଇ-ଟିକେଟ୍‌ ରାକେଟ୍‌ର ପର୍ଦ୍ଦାଫାଶ୍‌ ହୋଇଛି। ଏହାର ଚେର ପାକିସ୍ତାନ, ବାଂଲାଦେଶ, ଦୁବାଇ ପ୍ରମୁଖ ଦେଶକୁ ଲମ୍ବିଛି। ଆର୍‌ପିଏଫ୍‌ ପକ୍ଷରୁ ଝାଡ଼ଖଣ୍ଡର ଗୁଲାମ ମୁସ୍ତାଫା ନାମକ ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଥିବାବେଳେ ତାଙ୍କ ସହ ଏକ ଟିମ୍‌ କାମ କରୁଥିବା ଜଣାପଡ଼ିଛି। ପ୍ରଥମେ ବେଙ୍ଗାଲୁରୁରେ ଇ-ଟିକେଟ କାରବାର କରୁଥିବାବେଳେ ବେଆଇନ ସଫ୍ଟଓ୍ବେୟାର କାମ ଜାରି ରଖିଥିବା ଆର୍‌ପିଏଫ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ଆଇବି, ଇଡି, ଏନ୍‌ଆଇଏ, କର୍ନାଟକ ପୋଲିସ ମୁସ୍ତାଫାଙ୍କୁ ଜେରା କରୁଥିବା ପ୍ରକାଶ। ମଦ୍ରାସାରେ ପାଠ ପଢିଥିବା ମୁସ୍ତାଫା ମନିଲଣ୍ଡରିଂ କରି ଆତଙ୍କବାଦୀଙ୍କୁ ଫଣ୍ଡିଂ କରୁଥିବା ଆର୍‌ପିଏଫ୍‌ ମହାନିର୍ଦ୍ଦେଶକ ଅରୁଣ କୁମାର ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମୁସ୍ତାଫାଙ୍କ ଲାପ୍‌ଟପ୍‌ରେ ବହୁ ବିଦେଶୀଙ୍କ ନାମ ଠିକଣା, ମୋବାଇଲ ନମ୍ବର, ଏକାଧିକ ବ୍ୟାଙ୍କ, ସଫ୍ଟଓ୍ବେୟାର କମ୍ପାନୀର ଲିଙ୍କ୍‌ ଧରାପଡ଼ିଛି। ଜଣେ ସଫ୍ଟଓ୍ବେୟାର ଡେଭେଲପର ଭାବେ ମାସକୁ କୋଟି କୋଟି ଟଙ୍କା ରୋଜଗାର କରି ବେଆଇନ କାମରେ ଲଗାଉଥିବା ଅଭିଯୋଗ ହେବା ପରେ ତଦନ୍ତ ଜୋର୍‌ ଧରିଛି।

Share