ଇ- ବିଧାନସଭା: ୪୭ ବିଧାୟକ କିଣିଲେ କମ୍ପ୍ୟୁଟର

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ବିଧାୟକମାନେ ଆଉ କାଗଜପତ୍ର ନୁହେଁ କମ୍ପ୍ୟୁଟର ଜରିଆରେ ସମସ୍ତ ସୂଚନା ପାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବେ। ଏପରି କି ବିଧାନସଭାକୁ ମଧ୍ୟ ଲାପଟପ୍‌ ଧରି ଆସି ପାରିବେ । ଅନ୍‌ଲାଇନରେ ସବୁ କିଛି ହେବ। ବିଧାୟକମାନେ ଯାହା କିଛି ଚାହିଁବେ ସେମାନଙ୍କୁ ଅନ୍‌ଲାଇନ ମାଧ୍ୟମରେ ସମସ୍ତ ତଥ୍ୟ ଯୋଗାଇ ଦିଆଯିବ। ଇ-ବିଧାନସଭା ଆରମ୍ଭ କରିବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବିଧାନସଭା ପକ୍ଷରୁ ବିଧାୟକମାନଙ୍କୁ ଲାପ୍‌ଟପ ଯୋଗାଇ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । କମ୍ପ୍ୟୁଟର/ଲାପଟପ୍‌ ବାବଦ ଖର୍ଚ୍ଚ ବିଧାନସଭା ପକ୍ଷରୁ ଯୋଗାଇ ଦିଆଯିବ। ଏ ପର୍ଯ୍ୟନ୍ତ ୪୭ ଜଣ ବିଧାୟକ ଲାପଟପ୍‌/କମ୍ପ୍ୟୁଟର କ୍ରୟ କରି ସାରିଲେଣି। ବୁଧବାର ଏ ବାବଦରେ ଟଙ୍କା ନେବାକୁ ସେମାନେ ରସିଦ ଦାଖଲ କରିଥିବା ବାଚସ୍ପତି ସୂଚନା ଦେଇଛନ୍ତି। କମ୍ପ୍ୟୁଟର କିମ୍ବା ଲାପ୍‌ଟପ କିଣିବା ପାଇଁ ବିଧାନସଭା ପକ୍ଷରୁ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ୫ଟି ବଡ଼ ବ୍ରାଣ୍ଡ କମ୍ପାନୀର କମ୍ପ୍ୟୁଟର କିଣିବାକୁ ନ୍ୟାଶନାଲ ଇନ୍‌ଫରମେଟିକ ସେଣ୍ଟର(ଏନ୍‌ଆଇସି) ଏବଂ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ବିଧାୟକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା କମ୍ପ୍ୟୁଟର ବିଷୟରେ ବିଧାୟକମାନଙ୍କୁ ତାଲିମ ଦେବା ପାଇଁ ଏନ୍‌ଆଇସିକୁ ଅନୁରୋଧ କରାଯାଇଛି। ଯେଉଁ ବିଧାୟକମାନଙ୍କର କମ୍‌ କିମ୍ବା ଆଦୌ କମ୍ପ୍ୟୁଟର ବିଷୟରେ ଜ୍ଞାନ ନାହିଁ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ। ଅନ୍‌ଲାଇନ ଡାଟା ଏଣ୍ଟ୍ରି, ଇ-ମେଲ ଆଦି ବିଷୟରେ ତାଲିମ ପ୍ରଦାନ କରାଯିବ। ବିଧାନସଭା କର୍ମଚାରୀମାନେ ମଧ୍ୟ ତାଲିମ ନେବେ ବୋଲି ବାଚସ୍ପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Share