ଇ-ବିଧାନ କାର୍ଯ୍ୟକାରୀ ନେଇ ଅଧ୍ୟୟନ କରିବ ଗୃହ କମିଟି, ବାଚସ୍ପତିଙ୍କ ନେତୃତ୍ୱରେ ଗସ୍ତ କଲା ଦଳ

ଭୁବନେଶ୍ୱର,୨୦।୮(ବ୍ୟୁରୋ)- ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ କମ୍ପ୍ୟୁଟରୀକରଣ ସମ୍ପର୍କିତ ଗୃହ କମିଟି ଅଧ୍ୟୟନ ଗସ୍ତରେ ମଙ୍ଗଳବାର ହିମାଚଳ ପ୍ରଦେଶ ଯାତ୍ରା କରିଛନ୍ତି। ଶିମ୍‌ଲାଠାରେ ହିମାଚଳପ୍ରଦେଶ ବିଧାନସଭାର ବାଚସ୍ପତିଙ୍କୁ ସାକ୍ଷାତ୍‌ କରିବା ସହ ବିଧାନସଭାର ପଦାଧିକାରୀଙ୍କ ସହିତ ଇ- ବିଧାନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ସମ୍ପର୍କରେ ଏହି କମିଟି ଆଲୋଚନା କରିବ । ଏହା ଛଡ଼ା କମିଟି ହିମାଚଳ ପ୍ରଦେଶ ବିଧାନସଭା ଅଧିବେଶନର ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିବ ଓ ବିଧାନସଭାର ବିଭିନ୍ନ ଶାଖା ପରିଦର୍ଶନ କରିବ । ଏଥି ସହିତ ଏହି କମିଟି ମଧ୍ୟ ପଞ୍ଜାବ ଓ ନୂଆଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
ଏହି କମିଟିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ତାରାପ୍ରସାଦ ବାହିନୀପତି, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିଧାନସଭା ସଚିବ ଦାଶରଥି ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳାଇ, ଉପବିଭାଗ ଅଧିକାରୀ ଆଶିଷ ରଞ୍ଜନ ଖୁଣ୍ଟିଆ ଓ ରିପୋର୍ଟର ଦିଲୀପ କୁମାର ମହାନ୍ତି ମଧ୍ୟ ବାଚସ୍ପତି ଡ. ପାତ୍ରଙ୍କ ସହ ଅଧ୍ୟୟନ ଗସ୍ତରେ ଯାଇଛନ୍ତି ।