Advertisement

ଉଇଗର ମୁସ୍‌ଲିମ୍‌ଙ୍କୁ ନିର୍ଯାତନା ଅଭିଯୋଗ: ଚାଇନା ଉପରେ ଆମେରିକାର ଭିଜା କଟକଣା

ଓ୍ବାଶିଂଟନ/ବେଜିଂ,୧୦ା୧୦(ପି.ଟି.): ଜିନ୍‌ଜିଆଙ୍ଗ୍‌ ପ୍ରଦେଶରେ ଉଇଗର ମୁସ୍‌ଲିମ ସମ୍ପ୍ରଦାୟ ସମେତ ସଂଖ୍ୟାଲଘୁଙ୍କ ଉପରେ ବେଜିଂର ଦମନକାରୀ ଅଭିଯାନକୁ ନେଇ କ୍ଷୁବ୍ଧ ଆମେରିକା ଚାଇନା ଉପରେ ଭିଜା କଟକଣା ଜାରି କରିଛି। ଚାଇନା ସରକାର ଓ ଶାସକ କମ୍ୟୁନିଷ୍ଟ ପାର୍ଟିର ଅଧିକାରୀମାନଙ୍କ ବିରୋଧରେ ଏହାର ଲାଗୁ ହେବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଚାଇନା ଏହାକୁ ଆମେରିକାର ମନ୍ଦ ଉଦ୍ଦେଶ୍ୟ ଭାବେ ଅଭିହିତ କରି ତୁରନ୍ତ କଟକଣା ପ୍ରତ୍ୟାହାର ପାଇଁ ଦାବି କରିଛି।
ଚାଇନାର ସ୍ବୟଂଶାସିତ ଅଞ୍ଚଳ ଜିନ୍‌ଜିଆଙ୍ଗ୍‌ରେ ଉଇଗର ମୁସ୍‌ଲିମଙ୍କ ଉପରେ ବେଜିଂ ଦମନଲୀଳା ଚଳାଇଛି। ସେହିପରି କାଜାଖ, କିର୍ଗିଜ୍‌ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ମଧ୍ୟ ଅନୁରୂପ ଅଭିଯାନ ଚଳାଇଛି। ସେମାନଙ୍କୁ ବିଭିନ୍ନ କ୍ୟାମ୍ପ୍‌ରେ ଅଟକ ରଖି ବେଜିଂ ପକ୍ଷରୁ ଉଚ୍ଚ କ୍ଷମତାସମ୍ପନ୍ନ ସର୍ଭିଲାନ୍ସ ଓ କଠୋର ନିୟନ୍ତ୍ରଣର ପ୍ରୟୋଗ କରାଯାଉଛି। ସଂଖ୍ୟାଲଘୁଙ୍କ ସାଂସ୍କୃତିକ ଓ ଧାର୍ମିକ ସ୍ବାଧୀନତାକୁ ଚାଇନା ଛଡ଼ାଇ ନେଇଥିବା ଆମେରିକା ଅଭିଯୋଗ କରିଛି। ଏହି ଦମନମୂଳକ ଅଭିଯାନ ଯୋଗୁ ଚାଇନା ଅଧିକାରୀଙ୍କ ଉପରେ ଭିଜା କଟକଣା ଜାରି କରାଯାଇଥିବା ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ କହିଛନ୍ତି। ଭିଜା କଟକଣା ସମ୍ପୃକ୍ତ ଅଧିକାରୀଙ୍କ ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ଲାଗୁ ହେବ। ଜିନ୍‌ଜିଆଙ୍ଗ୍‌ରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ କୌଣସି ପ୍ରକାର ଆମେରିକୀୟ ଉତ୍ପାଦ କିଣିବା ନେଇ ୨୮ ଚାଇନା କମ୍ପାନୀକୁ କଳାତାଲିକାଭୁକ୍ତ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ୍‌ ଶୁଆଙ୍ଗ୍‌ ଏଭଳି ଅଭିଯୋଗକୁ ଭିତ୍ତିହୀନ ଓ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ସହ ଭିଜା କଟକଣା ଉଠାଇବାକୁ ଦାବି କରିଛନ୍ତି।

Share