ଉଗ୍ରତାରା ଛକରୁ ଲୁଟ୍‌ ହୋଇଥିବା କୋଟିଏରୁ ଊର୍ଦ୍ଧ୍ୱ ମୂଲ୍ୟର ସିଗାରେଟ୍‌ ଦିଲ୍ଲୀରୁ ଜବତ: ୨ ଗିରଫ

ଖୋର୍ଦ୍ଧା ଅଫିସ, ୪।୧୨: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଉଗ୍ରତାରା ଛକରୁ ଚୋରି ହୋଇଥିବା ୧ କୋଟି ୨ ଲକ୍ଷ ଟଙ୍କାର ୨୩୮ କାର୍ଟୁନ ସିଗାରେଟ୍‌ ଦିଲ୍ଲୀରୁ ଜବତ ହୋଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୧୦ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ଇନ୍ଦୋର ଚନ୍ଦନନଗର ଥାନା ସେକ୍ଟର ବି ଅଞ୍ଚଳର ଅମିତ ଚୋପ୍ରା, ଭବରକୁଆ କୌଶଲ୍ୟାପୁରୀ ନେମ୍ବାର ରୋଡ୍‌ ଅଞ୍ଚଳର ଅମିତ ଚୌଧୁରୀ। ଏ ନେଇ ଖୋର୍ଦ୍ଧା ଏସ୍‌ପି ଅଜେୟ ପ୍ରସାଦ ସ୍ବାଇଁ ବୁଧବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ସୂଚନାନୁଯାୟୀ, ଗତ ନଭେମ୍ବର ୪ ସନ୍ଧ୍ୟାରେ ଟାଙ୍ଗୀ ଥାନା ଉଗ୍ରତାରା ଛକରୁ ହାଇଦ୍ରାବାଦରୁ କୋଲକାତା ଯାଉଥିବା ଜିଓଫାଷ୍ଟ କଣ୍ଟେନରରୁ ୧ କୋଟି ୪୭ ଲକ୍ଷ ୪୦ହଜାର ମୂଲ୍ୟର ୩୯୦ କାର୍ଟୁନ ସିଗାରେଟ୍‌ ଲୁଟ ହୋଇଥିଲା। ଲୁଟେରାମାନେ କଣ୍ଟେନର ଆଗରେ ୧୦ ଚକିଆ ଟ୍ରକ ରଖି ଡ୍ରାଇଭର, କଣ୍ଟେନର ସହ ସିଗାରେଟ ବୋଝେଇ ଟ୍ରକ୍‌ ଲୁଟ କରି ନେଇଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ୩୯୫/୧୯ରେ ମାମଲା ରୁଜୁ କରି ତଦନ୍ତ କରୁଥିଲା। ପରେ ଏସ୍‌ଡିପିଓ ବାଲୁଗାଁ, ଟାଙ୍ଗୀ ଥାନା ଆଇଆଇସି ଓ ସାଇବର କନଷ୍ଟେବଳ ପ୍ରମୁଖ ଦିଲ୍ଲୀ ଯାଇ ଚୋରା ସିଗାରେଟ ଜବତ କରିଥିବା ସେ କହିଛନ୍ତି।

Share